ବିକ୍ରି ଶିଶୁ କନ୍ୟାକୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍

ଯାଜପୁର ୨୯/୦୧: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଂଚାୟତ ସାନରାଇପଡା ଗାଁରେ ଶିଶୁକନ୍ୟା ବିକ୍ରି ଘଟଣାରେ ଝିଅଟିକୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ୟୁନିଟର ମୁଖ୍ୟ ନିରଂଜନ କର ଶନିବାର ସନ୍ଧ୍ୟାରେ ଖବର ପାଇ କନ୍ୟା ବିକ୍ରି କରିଥିବା ମହିଳାଙ୍କ ଘରେ ପହଂଚି ତଦନ୍ତ କରିବା ସହ କୋତପୁର ଫାଣ୍ଡିରେ ଏତଲା ଦେଇଥିଲେ । ଏତଲା ପାଇବା ପରେ କୋତପୁର ଫାଣ୍ଡି ପୁଲିସ ପିଲାକୁ ଉଦ୍ଧାର କରିଛି। ଶିଶୁଟି ବର୍ତ୍ତମାନ ପୋଲିସ ହେପାଜତରେ ରହିଛି। ପ୍ରକୃତରେ କିଏ ନେଇଥିଲା ଝିଅଟିକୁ ସେ ନେଇ ପୋଲିସ ତଦନ୍ତ ଜାରି ରଖିବା ସହ କାଂଚନ ବେହେରାଙ୍କ ସ୍ବାମୀ ନଟକୁ ଅଟକ ରଖି ପଚରା ଉଚରା କରୁଛି।

ସୂଚନାଯୋଗ୍ୟ, କୋତପୁର ପଞ୍ଚାୟତର ସାନରାଇପଡା ଗ୍ରାମର ନଟବର ବେହେରାଙ୍କ ସ୍ତ୍ରୀ ଗତ ଗୁରୁବାର ଦିନ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ତେବେ ତାଙ୍କ ସ୍ୱାମୀ ନଟବର ନିଜ ଜନ୍ମକଲା ଶିଶୁକନ୍ୟାକୁ ମହାକାଳପଡା ଗ୍ରାମର ଜୈନକ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିଲେ। ଏହା ପୂର୍ବରୁ ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଆଉ ଗୋଟିଏ ଶିଶୁକନ୍ୟା ଜନ୍ମ ପରେ ଭରଣ ପୋଷଣ ପାଇଁ ସକ୍ଷମ ନଥିବାରୁ କିଛିଟା ଟଙ୍କା ପାଇଁ ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିଲେ ବୋଲି ପରିବାର ଲୋକେ କହିଥିଲେ।

ଝିଅ ବାପ ଘରେ ରହି ଆସୁଥିବା ବେଳେ ଜ୍ୱାଇଁ ମୂଲ ଲାଗି ଚଳନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଶିଶୁ କନ୍ୟାର ବାପା କହିଥିଲେ ୧୨ ହଜାର ଟଙ୍କା ନେଇ ସେ ବିକ୍ରି କରି ଦେଇଥିଲେ । ଅଭାବୀ ପରିବାର ଘର ଚଳାଇବା କଷ୍ଟକର ହୋଇ ପଡିଥିବାରୁ ସେ ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିବା କହିଥିଲେ। ଅନ୍ୟ ପଟେ  ଘଟଣାକୁ ନେଇ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପହଞ୍ଚି ଘଟଣାର ତଦନ୍ତ ଚଳାଇବା ସହ ଶିଶୁ କନ୍ୟାକୁ ଉଦ୍ଧାର କରାଯିବ ବୋଲି କହିଥିଲେ। ତେବେ ଚଢଉ କରି ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ହେପାଜତରେ ରଖିଛି କୋତପୁର ଫାଣ୍ଡି ପୋଲିସ ।

Spread the love