ଆସାମରେ ବନ୍ୟା: କାଜିରଙ୍ଗା ଜାତୀୟ ଉଦ୍ୟାନ ୭୦% ପ୍ରଭାବିତ

ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଉତ୍ତର-ପୂର୍ବ ଭାରତର ଅଧିକାଂଶ ରାଜ୍ୟ ପ୍ରଭାବିତ ହୋଇଛି । ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ସବୁଠାରୁ ଅଧିକ କ୍ଷତି ସହିଛି । କାଜିରଙ୍ଗା ଜାତୀୟ ଉଦ୍ୟାନ ବନ୍ୟା ଯୋଗୁଁ ୭୦ ପ୍ରତିଶତ ପ୍ରଭାବିତ ହୋଇଥିବା ବେଳେ ଏହାର ପରିସର ୯୫ ପ୍ରତିଶତ ଜଳମଗ୍ନ ହୋଇଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ ବିଭାଗ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛି । ଏଭଳି ଏକ ଦୁର୍ଦୀନ ସମୟରେ ସମସ୍ତ କର୍ମଚାରୀ ବନ୍ୟଜନ୍ତୁଙ୍କ ସୁରକ୍ଷା କରନ୍ତୁ ବୋଲି ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । 

କାଜିରଙ୍ଗା ଜାତୀୟ ଉଦ୍ୟାନରେ ବିଶ୍ୱ ପ୍ରସିଦ୍ଧ ଭାରତୀୟ ଗଣ୍ଡାଗୟଳ ଦେଖିବାକୁ ମିଳିଥାନ୍ତି । ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ରହିଛି । ବନ୍ୟ ଜୀବଜନ୍ତୁମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଉଚ୍ଚ ସ୍ଥାନକୁ ନିଆଯାଉଛି । ବନ୍ୟ ଜନ୍ତୁଙ୍କର ଶିକାର ଯେମିତି ନୁହେଁ ସେଥି ପାଇଁ ବନ ବିଭାଗ ପୂର୍ବରୁ ସତର୍କ ରହିଛି । କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟ ଦେଇ ଯାଇଥିବା ୩୭ ନମ୍ବର ଜାତୀୟ ରାଜପଥ ଉପରେ ନଜର ରଖିଛି । ଏହି ରାଜପଥ ଆସାମର କରିମଗଞ୍ଜ ନିକଟ ସୂତାରକାଣ୍ଡି ଠାରୁ ଆରମ୍ଭ ହୋଇ ମଣିପୁରର ଭାଲି ଠାରେ ଶେଷ ହୋଇଛି । କଡ଼ାସୁରକ୍ଷା ମଧ୍ୟରେ ଉଭୟ ପାଶ୍ୱର୍ରୁ କାର୍ଡ ଧାରକ ଯାନବାହନ ଚାଳକଙ୍କୁ ୩୭ ନମ୍ବର ଜାତୀୟ ରାଜପଥ ଉପରେ ଯିବାକୁ ଅନୁମତି ଦିଆଯାଉଛି । ବନରକ୍ଷୀ କର୍ମଚାରୀମାନେ ଦିନ ରାତି ଡ୍ୟୁଟିରେ ଅଛନ୍ତି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଉଦ୍ଧାର ଟିମ ସମେତ ଭାରତୀୟ ସେନା ବାସ୍କା ଜିଲ୍ଲା୧୫୦ଟି ଗ୍ରାମରେ ଅପରେଶନ ଆରମ୍ଭ କରିଛି । ଗ୍ରାମର ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚ ସ୍ଥାନକୁ ନିଆଯାଉଛି । ବାସ୍କା ଜିଲ୍ଲାରେ ୫୫ ଜଣ ମହିଳା, ୪୦ ଜଣ ପୁରୁଷ, ୨୫ ଜଣ ବରିଷ୍ଠ ନାଗରିକ ଓ ୩୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । 

Spread the love