କରତାରପୁର କରିଡର: ଆଜି ଭାରତ- ପାକିସ୍ତାନ ମଧ୍ୟରେ ହେବ ଆଲୋଚନା

ଶିଖମାନଙ୍କର ଅନ୍ୟତମ ପ୍ରସିଦ୍ଧ ଆଧ୍ୟାତ୍ମିକ ସ୍ଥଳୀ ‘କରତାରପୁର କରିଡର’ ନେଇ ଭାରତ ଓ ପାକିସ୍ତାନର ଅଧିକାରୀମାନଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହେବ । ଏହି ବୈଠକ ରବିବାର ୱାଘା ସୀମାରେ ଅନୁଷ୍ଠିତ ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କୁହାଯାଉଥିବା ଏହି କରିଡର ପାଇଁ ପୂର୍ବରୁ ପ୍ରଥମ ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଛି ।  ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ ଏହି କାମ ଶେଷ କରାଯିବାକୁ ଉଦ୍ୟମ ରଖାଯାଇଛି । ଏହି ପ୍ରକଳ୍ପର ଯବନୀକା ପଡ଼ିଲେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଆଧ୍ୟାତ୍ମିକ ସଂପର୍କ ମଜବୁତ ହେବ । 

କରତାରପୁର ନେଇ ବୈଠକ ରବିବାର ପୂର୍ବାହ୍ଣ ୧୦ଟାରେ ଆରମ୍ଭ ହେବ, ଯାହାକି ଅପରାହ୍ଣ ଯାଏଁ ଜାରି ରହିବ । ବୈଠକ  ପରେ ଉଭୟ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରାଯିବ । ଭାରତ ପକ୍ଷରୁ ଯୁଗ୍ମ ସଚିବ ଏସସିଏଲ ଦାସ ଏବଂ ଦିପକ ମିତ୍ତଲ ଯୋଗଦେବେ । ସେହିଭଳି ପାକିସ୍ତାନ ତରଫରୁ ବୈଠକରେ ଦକ୍ଷିଣ ଏସିଆ ସହଯୋଗୀ ସଂଗଠନ (ସାର୍କ)ର ମହାନିର୍ଦ୍ଦେଶକ ଡ. ମହମ୍ମଦ ଫୈଜଲ ଉପସ୍ଥିତ ରହିବେ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଆମେ ଏହି ପ୍ରକଳ୍ପରକୁ ନେଇ ଉତ୍ସାହିତ ଅଛୁ । ଆମେ ଚାହୁଁଛୁ ଯେ, ଏହି ପ୍ରକଳ୍ପ ଶୀଘ୍ର ଶେଷ ହୋଇଯାଉ ।କରତାରପୁର କରିଡର ନେଇ ଆଗାମୀ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ଅଲୋଚନା ହେବ । ଏଥିରେ ଶ୍ରଦ୍ଧାଳୁଙ୍କ ଆଗମନ ଓ କରିଡର ଭିତ୍ତିଭୂମି ମଧ୍ୟ ସାମିଲ ଅଛି । ପ୍ରଥମ ବୈଠକ ମାର୍ଚ୍ଚ ୧୪ରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଭାରତ ଦିନକୁ ୫୦୦୦ ଶ୍ରଦ୍ଧାଳୁକୁ କରତାରପୁର ପଠାଇବାକୁ ପ୍ରସ୍ତାବ ଦେଇଥିଲା । ମାତ୍ର ପାକିସ୍ତାନ ମାତ୍ର ୭୦୦ ଜଣଙ୍କ ଆଗମନକୁ ଅନୁମତି ଦେଇଥିଲା । ଭାରତୀୟ ପାସପୋର୍ଟ ପରିଚୟ ଭାବେ ସ୍ୱୀକାର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କରତାରପୁର କରିଡର ପ୍ରସଙ୍ଗରେ ପାକିସ୍ତାନ ଭାରତର କିଛି ପ୍ରସ୍ତାବକୁ ମନା କରିଦେଇଥିଲା । ଏଥିରେ ଗୋଟିଏ ହେଲ, ଶ୍ରଦ୍ଧାଳୁ ବିନା ଭିଜାରେ କରତାରପୁର ସାହିବ ଯିବାକୁ ଦାବି ଥିଲା କିନ୍ତୁ ପାକିସ୍ତାନ କହିଥିଲା ଯେ, ସେ ଠିକ ସମୟରେ ଭିସା ଜାରି କରିବ । 

Spread the love