Budget 2022: ଦେଶରେ ସ୍ଥାପନ ହେବ ଡିଜିଟାଲ୍ ବିଶ୍ଵ ବିଦ୍ୟାଳୟ, ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍ ?

ନୂଆଦିଲ୍ଲୀ ୦୧।୦୨: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ଉପସ୍ଥାପନ କରିଥିବା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ ଡିଜିଟାଲ୍ ଶିକ୍ଷାକୁ ପ୍ରୋତ୍ସାହନ ଦେବାର ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ ବଜେଟ୍‌ରେ ଦେଶର ଛାତ୍ର-ଛାତ୍ରୀଙ୍କୁ ବିଶ୍ଵସ୍ତରୀୟ ସରଳ ଏବଂ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ ପାଇଁ ସରକାର ଏକ ଡିଜିଟାଲ୍ ବିଶ୍ଵ ବିଦ୍ୟାଳୟ ସ୍ଥାପନ କରିବେ। ଏହି ବିଶ୍ଵ ବିଦ୍ୟାଳୟ ଆଇଏସଟିଇ ସ୍ତରର ହେବ।

ସବୁ ଭାଷାରେ ମିଳିବ ଶିକ୍ଷା

ଏହି ଡିଜିଟାଲ୍ ବିଶ୍ଵ ବିଦ୍ୟାଳୟ ଜରିଆରେ ଘର ଘର ପର୍ଯ୍ୟନ୍ତ ଶିକ୍ଷା ପହଞ୍ଚାଇବାରେ ସହଜ ହେବ। ଛାତ୍ରଙ୍କୁ ସବୁ ଭାଷାରେ ଶିକ୍ଷା ମିଳି ପାରିବ। ଏଥିରେ ଅନ୍ୟ ବଡ ବିଶ୍ଵ ବିଦ୍ୟାଳୟ ଏବଂ ସଂସ୍ଥା ମଧ୍ୟ ସାହାଯ୍ୟ କରିବେ। ଅର୍ଥ ମନ୍ତ୍ରୀ କହିଛନ୍ତି କରୋନା କାରଣରୁ ବନ୍ଦ ପଡିଥିବା ସ୍କୁଲ କାରଣରୁ ଶିକ୍ଷା କ୍ଷେତ୍ରରେ ବହୁତ କ୍ଷତି ଘଟିଛି। ଏହାର ଭରଣା ପାଇଁ ଡିଜିଟାଲ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଯୋଜନା ଆଧାରରେ ଗୋଟିଏ ଶ୍ରେଣୀ ଗୋଟିଏ ଚ୍ୟାନେଲ ଯୋଜନାକୁ ୧୨ରୁ ୨୦୦ ଟିଭି ଚ୍ୟାନେଲ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏଥିରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୁଣବତ୍ତା ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ଟିଭି, ମୋବାଇଲ ଏବଂ ରେଡିଓ ଜରିଆରେ ସମସ୍ତ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରାଯିବ।

Spread the love