ହାରିବା ଭୟରେ ହିଂସାର ଆଶ୍ରୟ ନେଉଛି ବିଜେଡି: ବିଜେପି

ଭୁବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଶାସକ ବିଜେଡିକୁ ହାରିବାର ଭୟ ଘାରିଛି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଯେତେ ପ୍ରକାରର ପ୍ରୟାସ କରିଲେ ସୁଦ୍ଧା ଭୋଟରଙ୍କ ନିକଟରେ ଗ୍ରହଣୀୟ ହୋଇପାରୁନାହିଁ । ହତାଶ ହୋଇ ଶାସକ ବିଜେଡି ବିରୋଧୀଙ୍କ ପ୍ରତି ହିଂସାପରାୟଣ ହୋଇପଡିଛି । ନିର୍ବାଚନରେ ହାରିବାର ଭୟ, ଶାସନ କ୍ଷମତାର ଅହଂକାର ଏବଂ ଅପର୍ଯ୍ୟାପ୍ତ ଅର୍ଥବଳର ଦୁରୁପେଯାଗ କରିବା ସହିତ ହିଂସାକାଣ୍ଡ ଭଳି ନିଷ୍ଠୁର ପଦକ୍ଷେପ ନେବାକୁ ପଛାଉନାହିଁ ଶାସକ ବିଜେଡି। ୨୦୧୭ ମସିହା ପଂଚାୟତ ନିର୍ବାଚନରେ ରକ୍ତମୁଖା ସାଜି ବିରୋଧୀମାନଙ୍କୁ ନିର୍ମମ ଭାବେ ହତ୍ୟା କରାଇଥିବା ବିଜୁ ଜନତା ଦଳ ଚଳିତ ପଂଚାୟତ ନିର୍ବାଚନରେ ମଧ୍ୟ ରକ୍ତମୁଖା ସାଜିଛି । ଶାସକ ବିଜେଡିର ଏଭଳି ହିଂସାତ୍ମକ ଆଚରଣ ସୁସ୍ଥ ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ବିପଦଜନକ । ଶାସକ ଦଳର ଏଭଳି ହିଂସାତ୍ମକ ଆଚରଣ ବିରୁଦ୍ଧରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ବାରମ୍ବାର ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ ସତ୍ୱେ କୈାଣସି ଦୃଢ ଓ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଧିକ ଚିନ୍ତାଜନକ। ରାଜ୍ୟ ନିର୍ବାଚନ କମିଶନଙ୍କ ନୀରବତା ଆଜି ହିଂସାମୁକ୍ତ, ଅବାଧ ପଂଚାୟତ ନିର୍ବାଚନ ହେବାକୁ ନେଇ ସାଧାରଣରେ ବିରାଟ ଚିନ୍ତାର କାରଣ ସାଜିଛି ବୋଲି ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ସେଠୀ କହିଛନ୍ତି ।
ଭଦ୍ରକ ବ୍ଲକ ୨୮ ନମ୍ବର ଜୋନର ବ୍ରହ୍ମପୁର ଗ୍ରାମର ବିଜେପି କାର୍ଯ୍ୟକର୍ତା ଶ୍ରୀ ଶୁବାଷିସ ଗିରିଙ୍କୁ ସର୍ବସାଧାରଣ ସମ୍ମୁଖରେ ଆଜି ଦିନ ୧୦ଟା ସମୟରେ ବିଜେଡି ଗୁଣ୍ଡାମାନେ ପିଟିପିଟି ହତ୍ୟା କରିବା ପରେ ମୃତ ଶରୀରକୁ ପୋଖରୀରେ ଫିଙ୍ଗି ଦେଇଛନ୍ତି । ଏହି ବିଭତ୍ସ ହତ୍ୟାକାଣ୍ଡରେ ଅଭିଯୁକ୍ତ ବିଜେଡି ଗୁଣ୍ଡା କର୍ମୀ ମହେଶ୍ୱର ସାହୁ, ଜ୍ୟୋତିରଂଜନ ସେନାପତି, ପ୍ରିୟରଂଜନ ସେନାପତି, ମହେଶ୍ୱର ମାହାଲ, ପ୍ରଶାନ୍ତ ଅର୍ଖ ପ୍ରମୁଖ ସ୍ଥାନୀୟ ବିଜେଡି ବିଧାୟକଙ୍କ ଦୃଢ ସମର୍ଥକ ଅଟନ୍ତି ଏବଂ ଏହି ଘଟଣା ଘଟାଉଥିବାବେଳେ ସେମାନେ ବିଧାୟକଙ୍କ ପାଖ ଲୋକ ଏବଂ ସେମାନଙ୍କୁ କିଏ କିଛି କରିପାରିବେ ନାହିଁ ବୋଲି ବଡ ଚିତ୍କାରରେ କହୁଥିଲେ । ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସେଠୀ ଦାବୀ କରିଛନ୍ତି । ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଲିଗାଲ ସେଲର ଜୟନ୍ତ ଜେନା, ରବିଶଂକର ପଟ୍ଟନାୟକ, ମହେନ୍ଦ୍ର ଜେନା, ସିଦ୍ଧାର୍ଥ ଶଂକର ପତି ପ୍ରମୁଖ ସାମିଲ ଥିଲେ ।

Spread the love