ଚୀନ୍‌ ୱିଣ୍ଟର ଅଲିମ୍ପିକ୍‌ରେ ଭାରତକୁ ଝଟକା, Covid ପଜିଟିଭ ବାହାରିଲେ ଟିମ୍‌ ମ୍ୟାନେଜର

ବେଜିଂ ୨।୨: ଚୀନ୍‌ ୱିଣ୍ଟର ଅଲିମ୍ପିକରେ ଅଂଶଗ୍ରହଣ ଲାଗି ଭାରତୀୟ ଟିମ୍‌ ବେଜିଂ ପହଞ୍ଚିଛି। ତେବେ ଟିମ୍‌ ମ୍ୟାନେଜର ମହମ୍ମଦ ଆବାସ ଭାନୀ କୋଭିଡ ପଜିଟିଭ ଚିହ୍ନଟ ହେବା ଭାରତୀୟ ଦଳଙ୍କ ଲାଗି ସମସ୍ୟା ପାଲଟିଛି। ଟିମ୍‌ ବେଜିଂ ବିମାନ ବନ୍ଦରରେ ଅବତରଣ କରିବା ପରେ ସମସ୍ତଙ୍କର କରୋନା ପରୀକ୍ଷଣ ହୋଇଥିଲା। ଏଥିରେ ଭାନୀଙ୍କ ରିପୋର୍ଟ ପଜିଟିଭ ଆସିଛି।

ମ୍ୟାନେଜର ପଜିଟିଭ ଚିହ୍ନଟ ହେବା ଯୋଗୁ ସ୍କି ଟିମ୍‌କୁ ପୃଥକ କରିଦିଆଯାଇଛି। ଆବାସ ଭାନୀ ୱିଣ୍ଟର ଅଲିମ୍ପିକରେ ୬ ସଦସୀୟ ଭାରତୀୟ ଟିମ୍‌ର ମ୍ୟାନେଜର। କାଶ୍ମୀର ସ୍କି ଖେଳାଳି ଆରିଫ ଖାନ ଚଳିତ ଥର କ୍ୱାଲିଫାଇ କରିଥିବା ଦେଶଙ୍କ ଏକମାତ୍ର ଆଥଲେଟ୍। ସେ ଅଲିମ୍ପିକରେ ସ୍କି ପ୍ରତିଯୋଗୀତାର ସ୍ଲାଲୋମ ଓ ଜିଆଣ୍ଟ ସ୍ଲାଲୋମ ପ୍ରତିଯୋଗୀତାରେ ଭାଗ ନେବେ। ଏହି ୬ ସଦସୀଟ ଟିମ୍‌ରେ ହରଜିନ୍ଦର ସିଂହ ସେଫ ଡେ ମିସନ, ଲୁଦର ଚନ୍ଦ ଠାକୁର ଆଲପାଇନ କୋଚ୍, ପୁରନ ଚନ୍ଦ ଟେକ୍ନିସିଆନ ଓ ରୋପ ଚାନ୍ଦ ନେଗୀ ଟିମ୍‌ ଅଧିକାରୀ ଭାବେ ଚୀନ୍‌ ଗସ୍ତ କରିଛନ୍ତି।

ଆବାସ ଭାନୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ(ଆଇଓଏ)ଅଧ୍ୟକ୍ଷ ନରିନ୍ଦର ବତ୍ରାଙ୍କୁ ସୂଚିତ କରିଦିଆଯାଇଛି। ସେହିପରି ସେଫ ଡି ମିସନ ହରଜିନ୍ଦର ସିଂହ ଅଲିମ୍ପିକ୍ ଆୟୋଜକଙ୍କ ସହ ଦ୍ୱିତୀୟବାର ପରୀକ୍ଷଣ ନିମନ୍ତେ ସଂଯୋଜନା କରୁଥିବା କୁହାଯାଇଛି।

ଏ ନେଇ ଏକ ବୟାନ ଜାରି ହୋଇଥିବା ବେଳେ ଏଥିରେ ଭାରତୀୟ ଅଲିମ୍ପିକ ଟିମ୍‌ ମ୍ୟାନେଜର ଆବାସ ଭାନୀ  କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ତାଙ୍କର ଦ୍ୱିତୀୟବାର କୋଭିଡ ପରୀକ୍ଷଣ ଲାଗି ସେଫ ଡି ମିସନ ହରଜିନ୍ଦର ସିଂହ କୋ-ଅର୍ଡିନେଟ୍ କରୁଛନ୍ତି ବୋଲି କୁହାଯାଇଛି। ମ୍ୟାନେଜର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାରୁ ଟିମ୍‌ର ଆଥଲେଟମାନଙ୍କୁ ଅନ୍ୟମାନଙ୍କ ସହ ମିଶାମିଶି କରିବା ଆଶଙ୍କାରେ ଅନ୍ୟ ଫ୍ଲାଟକୁ ସ୍ଥାନାନ୍ତର କରିଦିଆଯାଇଛି।

Spread the love