କାମେଙ୍ଗ ସେକ୍ଟରରେ ହିମସ୍ଖଳନରେ ଫସି ରହିଛନ୍ତି ସାତ ଯବାନ

ନୂଆଦିଲ୍ଲୀ,୦୭/୦୨: ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ଏକ ବଡ଼ ଅଘଟଣ ଘଟିଛି । ହିମସ୍ଖଳନ ଯୋଗୁଁ ଏଠାରେ ଭାରତୀୟ ସେନାର ୭ ଜଣ ଯବାନ ଫସି ରହିଥିବା ଜଣାପଡିଛି । ସୋମବାର ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫସିଥିବା ଯବାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଅପରେସନ ଆରମ୍ଭ ହୋଇଛି । ରବିବାର ଯବାନମାନେ ପାଟ୍ରୋଲିଂ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି।  ଅଧିକାରୀଙ୍କ ସୂଚନା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଯବାନଙ୍କୁ ଖୋଜିବା ପାଇଁ ବିଶେଷଜ୍ଞ ଦଳର ସହାୟତାର ନିଆଯାଉଛି। ଆକାଶମାର୍ଗରୁ ଏହି ବିଶେଷଜ୍ଞ ଦଳକୁ ସେଠାକୁ ପଠାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଗତ କିଛି ଦିନ ପାଣିପାଗ ଖରାପ ରହିବା ସହ ପ୍ରବଳ ତୁଷାରପାତ ହେଉଛି ।

ଶୀତ ଦିନ ଗୁଡିକରେ ଉଚ୍ଚ ପାହାଡିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିବା କଷ୍ଟକର ହୋଇଥାଏ। ପୂର୍ବରୁ ମଧ୍ୟ ଏପରି ଘଟଣାରେ ସେନା ନିଜର ଯବାନଙ୍କୁ ହରାଇ ସାରିଛି । ମେ ୨୦୨୦ରେ ସିକ୍କିମରେ ହିମସ୍ଖଳନରେ ସେନାର ଦୁଇ ଯବାନଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ଉତ୍ତରାଖଣ୍ଡର ମାଉଣ୍ଟ ତ୍ରିଶୁଳରେ ହିମସ୍ଖଳନରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। 

Spread the love