ଜୋରଜବରଦସ୍ତ ଭୋଟ ହାତେଇବାର ପ୍ରୟାସ ଜାରୀ ରଖିଛି ବିଜୁ ଜନତା ଦଳ : ବିଜେପି

ଭୁବନେଶ୍ୱର: ଶାସନ କ୍ଷମତାର ଅପବ୍ୟବହାର ପରେ ଧମକଚମକ, ଭୟଭୀତ କରାଇ ଜୋରଜବରଦସ୍ତ ଭୋଟ ହାତେଇବାର ପ୍ରୟାସ ଜାରୀ ରଖିଛି ବିଜୁ ଜନତା ଦଳ । କୈାଣସି ଆଇନକାନୁନ ବା ପୋଲିସର ଭୟ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ପୋଲିସ ପ୍ରଶାସନ ଉପସ୍ଥିତିରେ ଶାସକ ବିଜେଡି କର୍ମୀମାନେ ନିର୍ଭୟରେ ଗୁଣ୍ଡାଗର୍ଦ୍ଦି, ଅଶାନ୍ତ ଓ ଭୟର ବାତାବରଣ ସୃଷ୍ଟି କରି ଭୋଟରମାନଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ବାଧ୍ୟ କରୁଥିଲେ। ଭୋଟରମାନେ ତାଙ୍କୁ ବିରୋଧ କରିବାରୁ ଗାଳିଗୁଲଜ, ମାରପିଟ, ଏପରିକି ବୋମା ମାଡ କରି ଆତଙ୍କ ବାତାବରଣ ସୃଷ୍ଟି କରିଥିଲେ । ଶାସାକ ବିଜେଡିର ଏଭଳି ଅଗଣତାନ୍ତ୍ରୀକ ଆଚରଣ ଆଜି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଏବଂ କେନ୍ଦୁଝର ଜିଲ୍ଲା ଘଟଗାଁରେ ଦେଖିବାକୁ ମିଳିଛି । ଏ ସମସ୍ତ ଅଭିଯୋଗ ନେଇ ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛି ।

ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା ଗ୍ରାମ ପଂଚାୟତରେ ମତଦାନ ଚାଲିଥିବାବେଳେ ଶାସକ ବିଜେଡି କର୍ମୀମାନେ ବୋମାମାଡ଼ କରିଛନ୍ତି । ଏହି ବୋମାମାଡ଼ରେ ୫ରୁ ଅଧିକ ଗାଡି ଜଳି ଯାଇଥିବାବେଳେ ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୃଷ୍ଣପ୍ରସାଦ ବ୍ଲକର ଅଲାଣ୍ଡ ଗ୍ରାମ ପଂଚାୟତ ୪, ୮ ଓ ୯ନଂ ବୁଥ; ସିଆଣ୍ଡି ଗ୍ରାମପଂଚାୟତ ଗୋପାଳପୁରରେ ୨ ଓ ୩ ନଂ ବୁଥ; ଚାପମାଣିକ ଗ୍ରାମ ପଂଚାୟତ ୯ନମ୍ବର ବୁଥରେ ଭୋଟିଂ ସମୟରେ ବିଜେଡି କର୍ମୀମାନେ ଗଣ୍ଡଗୋଳ ଓ ହିଂସା ଭିଆଇଥିଲେ । ରେବଣା ନୂଆଗାଁ ଗ୍ରାମ ପଂଚାୟତରେ ହିସାଂକାଣ୍ଡ ଘଟି ୫ଜଣ ଭୋଟର ଆହତ ହୋଇଛନ୍ତି । ବିଜେପି ଲୋକପ୍ରିୟତାରେ ଅସହିଷ୍ଣୁ ହୋଇ ଶାସକ ବିଜେଡିର ପ୍ରଭାବଶାଳୀ ନେତା ତଥା ପୂର୍ବତନ ବିଧାୟକ ସଂଜୟ ଦାସବର୍ମାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏବଂ ସ୍ଥାନୀୟ ଆଇଆଇସି ଦିଲ୍ଲୀପ ସ୍ୱାଇଁ, କୃଷ୍ଣପ୍ରସାଦ ବିଡିଓ ଓ ତହସିଲଦାରଙ୍କ ପ୍ରରୋଚନାରେ ଏହି ହିଂସାକାଣ୍ଡ ଘଟିଛି ବୋଲି ବିଜେପି ନେତ୍ରୀ ଉପାସନା ମହାପାତ୍ର ଅଭିଯୋଗ କରିଛନ୍ତି ।
ସେହିପରି ପ୍ରିଜାଇଡିଂ ଅଫିସରଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ପରିଷଦ ଜୋନ-୨୫ ସୁଆକାଠି ପଂଚାୟତର ତେନ୍ତୁଲୀ ଗ୍ରାମର ୧୨ ଓ ୧୩ ନମ୍ବର ବୁଥ ବାହାରେ କିଛି ଲୋକ ରୁଣ୍ଡ ହୋଇ ବ୍ୟାଲଟ କାଗଜରେ ଭୋଟ ଦେବା ଏବଂ ଏ ସମସ୍ତ କାର୍ଯ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ହେଉଥିବାର ଦୃଶ୍ୟ ଚଳିତ ନିର୍ବାଚନକୁ ଏକ ଫାର୍ଶରେ ପରିଣତ କରିଛି । ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ଏହି ଅଗଣତାନ୍ତ୍ରୀକ କାର୍ଯ୍ୟ ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରୀ ରହିଥିଲେ ସୁଦ୍ଧା ତାଙ୍କୁ କେହି ରୋକି ନଥିଲେ। ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଦାବୀ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ଲିଗାଲ ସେଲର ରବିଶଂକର ପଟ୍ଟନାୟକ, ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love