ଆପଣଙ୍କୁ LPGରେ ମିଳୁଛି କି ନାହିଁ ସବସିଡି? ଯଦି ଜାଣି ନାହାନ୍ତି ଏମିତି କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ ୧୭।୨: ଯଦି ଘରେ ରୋଷେଇ ଲାଗି ଏଲପିଜି ଗ୍ୟାସ୍ ବ୍ୟବହାର କରୁଛନ୍ତି ତେବେ ସବସିଡି ବାବଦେ ଜାଣିଥିବେ ନିଶ୍ଚିତ। ନିକଟ ଅତୀତରେ ତୈଳ ମୂଲ୍ୟ ବୃଦ୍ଧି ସହ ଗ୍ୟାସ୍ ଦର ମଧ୍ୟ ବୃଦ୍ଧି ହୋଇଥିଲା। ଏଣୁ ଏବେବି ଉଚ୍ଚଦରରେ ଆପଣଙ୍କୁ ଏଲପିଜି କିଣିବାକୁ ପଡୁଥିବ। ଏଥିରେ ଯଦି ଆପଣଙ୍କ ବ୍ୟାଙ୍କ ଖାତାକୁ ଏ ବାବଦେ ସବସିଡି ଆସିଯାଉଛି ତେବେ ଆପଣଙ୍କ ଲାଗି ଏହା ନିଶ୍ଚିତ ରୂପେ ଆଶ୍ୱସ୍ତିକର। ନ ଆସୁଥିଲେ ଜାଣନ୍ତୁ କରିବେ କ’ଣ?
ଆକାଉଣ୍ଟରେ ସବସିଡି ରାଶି ଆସୁନଥିଲେ
ସବସିଡିକୁ ଏକ ରକମ ରିହାତି କୁହାଯାଇପାରେ। ଆପଣ ଗ୍ୟାସ ବୁକିଂ କରିବା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ବାବଦ ରାଶି ଆସିଯାଏ। ଯଦି ଆପଣଙ୍କ ଆକାଉଣ୍ଟରେ ସବସିଡି ଆସୁ ନଥାଏ ତେବେ ତୁରନ୍ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ। ଯଦି ଆକାଉଣ୍ଟ ଆଧାର ସହ ସମ୍ପୃକ୍ତ ନଥାଏ ତେବେ ଆପଣଙ୍କୁ ସବସିଡି ସୁବିଧା ମିଳୁନଥିବ। ଏଣୁ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହ ସଂଯୋଗ କରିବାର ବ୍ୟବସ୍ଥା କରନ୍ତୁ। ଏହା ପରେ ଆପଣଙ୍କ ଆକାଉଣ୍ଟରେ ସବସିଡି ମିଳିବାରେ ଲାଗିବ।
ଏଲପିଜି ବାବଦେ ସବସିଡି ମିଳୁଛି କି ନା ଏମିତି କରନ୍ତୁ ଯାଞ୍ଚ
ଆପଣଙ୍କୁ ଏଲପିଜି ବାବଦେ ସବସିଡି ମିଳୁଛି କି ନା ତାହା ପ୍ରଥମେ ନିଶ୍ଚିତ କରିନିଅନ୍ତୁ। ଏଥିଲାଗି ଆପଣ ପ୍ରଥମେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ମାଇଁ ଏଲପିଜି ଡଟ୍ ଇନ୍ ୱେବସାଇଟ୍ କୁ ଯାଆନ୍ତୁ। ୱେବପେଜ୍ର ଡାହାଣ ପଟକୁ ଦେଖନ୍ତୁ। ସେଠାରେ ୩ଟି ଏଲପିଜି କମ୍ପାନୀଙ୍କ ସିଲିଣ୍ଡର ଫଟୋ ଥିବ। ଏଥିରୁ ଆପଣ ଯେଉଁ ଗ୍ୟାସର ଗ୍ରାହକ ସେହି ସିଲିଣ୍ଡରରେ କ୍ଲିକ୍ କରନ୍ତୁ। ଏଥିରେ ଆପଣଙ୍କ ଆଗରେ ଆଉ ଏକ ୱିଣ୍ଡୋ ଖୋଲିବ। ଏଥିରେ ଆପଣଙ୍କ ସର୍ଭିସ ପ୍ରୋଭାଇଡରଙ୍କ ଡିଟେଲ ଦେଖିବାକୁ ପାଇବେ।
ଏହି ୱିଣ୍ଡୋର ଡାହାଣ ପଟ ଉପରକୁ ଦେଖନ୍ତୁ । ଏଠାରେ ସାଇନ ଇନ୍ ଓ ନ୍ୟୁ ୟୁଜର ଅପସନ ଦେଖିବାକୁ ପାଇବେ । ଯଦି ଆପଣ ଏଠାରେ ପୂର୍ବରୁ ଅଛନ୍ତି ତେବେ ସାଇନ ଇନ କରନ୍ତୁ ନଚେତ ନ୍ୟୁ ୟୁଜରରେ କ୍ଲିକ୍ କରି ପରବର୍ତ୍ତି ପଦକ୍ଷେପ ନିଅନ୍ତୁ। ସାଇନ ଇନ୍ ପରେ ଏକ ନୂଆ ୱିଣ୍ଡୋ ଖୋଲିବ। ଏଥିରେ ଡାହାଣ ପଟେ ଭ୍ୟୁ ସିଲିଣ୍ଡର ବୁକିଂ ହିଷ୍ଟ୍ରିରେ କ୍ଲିକ୍ କରନ୍ତୁ। ଏହି ସବୁ ଷ୍ଟେପସ୍ ଅନୁସରଣ କରିବା ପରେ ଆପଣଙ୍କୁ ସବସିଡି ମିଳୁଛି କି ନା ସ୍ପଷ୍ଟ ହୋଇଯିବେ। ଯଦି ମିଳୁ ନଥାଏ ତେବେ ଟୋଲ ଫ୍ରି ନମ୍ବର ୧୮୦୦ ୨୩୩୩ ୫୫୫ରେ କଲ କରି ଅଭିଯୋଗ ମଧ୍ୟ କରିପାରିବେ।