‘ଛବିଳ ମଧୁ ବର୍ଣ୍ଣବୋଧ’ର ତୁଟୁନି ବିବାଦ ରହିଛି ଦ୍ୱନ୍ଦ

ଭୁବନେଶ୍ବର : ଛାତ୍ରଛାତ୍ରୀ ପୁଣି ‘ଛବିଳ ମଧୁ ବର୍ଣ୍ଣବୋଧ’ ପଢ଼ିବେ। ଏହି ଆଶା ଏବେ କ୍ଷୀଣ ହେବାରେ ଲାଗିଛି। ଦୀର୍ଘ ବର୍ଷେ ହେବ ଛପା ନେଇ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ତାହା ଏବେ ଶୀତଳଭଣ୍ଡାରରେ ପଡ଼ିରହିଛି। ଓଡ଼ିଆ ଶିଶୁ ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ଭକ୍ତକବି ମଧୁସୂଦନ ରାଓଙ୍କ ଅନନ୍ୟ ସଙ୍କଳନ ‘ଛବିଳ ମଧୁ ବର୍ଣ୍ଣବୋଧ’। ଓଡ଼ିଆ ଶିଖିବାର ମୂଳଦୂଆ ଏହି ପୁସ୍ତକ। ଚାଟଶାଳୀରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟରେ ଏହାର ବେଶ୍‌ ପ୍ରାସଙ୍ଗିକତା ରହିଛି। ଏହି ପୁସ୍ତକକୁ ନେଇ ୨୦୧୪ରେ ବିବାଦ ଦେଖାଦେଇଥିଲା। ଏହି ବହିର ମୂଳ ପ୍ରକାଶନକୁ ବାଦ୍‌ ଦେଇ ନୂଆ କରି ଛପା ଯାଇଥିବାରୁ କିଛି ବୁଦ୍ଧିଜୀବୀ ଅଦାଲତରେ ମାମଲା କରିଥିଲେ। ଯଦିଓ ସମାଧାନର ପନ୍ଥା ବାହାରିଥିଲା କିନ୍ତୁ ଛପାକୁ ନେଇ ଏବେବି ଦ୍ବନ୍ଦ୍ବ ଲାଗି ରହିଛି।ଓଡ଼ିଆ ଭାଷାକୁ ବ୍ୟାପକ କରିବା ପାଇଁ ବିଚ୍ଛିନ୍ନାଞ୍ଚଳ ଓ ପ୍ରାଥମିକ ବିଦ୍ୟାଳୟରେ ‘ଛବିଳ ମଧୁ ବର୍ଣ୍ଣବୋଧ’ ବାଣ୍ଟିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ନିର୍ଦେଶ ଦିଆଯାଇଥିଲା। ଏନେଇ ପାଖାପାଖି ୧୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଲକ୍ଷେ ୫ ହଜାର ବହି ଛାପି ବାଣ୍ଟିବା ନେଇ ଯୋଜନା ହୋଇଥିଲା। ମାତ୍ର ତତ୍କାଳୀନ ଭାଷା ପ୍ରତିଷ୍ଠାନର ନିର୍ଦେଶକ ‘ଛବିଳ ମଧୁ ବର୍ଣ୍ଣବୋଧ’ ଛାପିବା ପରିବର୍ତ୍ତେ ଏଥିରୁ ଯୁକ୍ତାକ୍ଷର, ରେଫ୍‌ ଆଦି ମାତ୍ରାକୁ ଆବଶ୍ୟକତା ନାହିଁ ବୋଲି କାଟି ଦେଇ ବହି ଛପାଇଥିଲେ। ଛାପାଯିବା ପରେ ବିଦ୍ରୋହର ସ୍ବର ସାରା ଓଡ଼ିଶାରେ ଦେଖିବାକୁ ମିଳିଥିଲା। ମାମଲା ହେବା ପରେ ଛାପା ହୋଇଥିବା ପ୍ରକାଶନ ଓ ବଣ୍ଟନ ଉପରେ ଅଙ୍କୁଶ ଲଗାଇଥିଲେ ଅଦାଲତ। ଯାହା ଏବେବି ପ୍ରତିଷ୍ଠାନର ବନ୍ଦ କୋଠରିରେ ରହିଛି। ପରବର୍ତ୍ତୀ ସମୟରେ ମାମଲା କରିଥିବା ଲୋକ ପ୍ରତ୍ୟାହାର କରିଥିଲେ। ଏହାପରେ ୨୦୧୮ରେ ଅଦାଲତ ମୁଖ୍ୟଶାସନ ସଚିବ ଏଦିଗରେ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ବୋଲି ରାୟରେ ଶୁଣାଇଥିଲେ। ଶେଷରେ ସଂସ୍କୃତି ବିଭାଗ ଅଧିକାରୀଙ୍କ ସହିତ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଲୋଚନା କରି ଛପାଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଛପା ପାଇଁ ପଦକ୍ଷେପ ଆରମ୍ଭ ହୋଇଥିଲା। ଭକ୍ତକବିଙ୍କ ବର୍ଣ୍ଣବୋଧରେ କୌଣସି ପରିବର୍ତ୍ତନ କରାନଯାଇ ଛପା ଯିବ। ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ପୁନଃ ଦାୟିତ୍ବ ଦିଆଯାଇଥିଲା। ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକର ସବୁ କାର୍ଯ୍ୟ ତଦାରଖ କରାଯାଇ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରାୟ ୭ ମାସ ହେବ ଏନେଇ ଦାୟିତ୍ବ ଦିଆଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇନଥିଲେ। ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ପ୍ରଫେସର ଡ. ଅ‌େ‌ଦ୍ବୖତ କୁମାର ପାତ୍ର କହିଛନ୍ତି ରାଜ୍ୟ ସରକାର ଏହି ପୁସ୍ତକ ତୁରନ୍ତ ଛାପିବାର ଆବଶ୍ୟକତା ରହିଛି। ଦୀର୍ଘ ଦିନ ହେଲା ବିବାଦ ତୁଟିବା ପରେ ଛାପିବାରେ କୌଣସି ଅସୁବିଧା ନାହିଁ। ଏହାଦ୍ବାରା ବିଚ୍ଛିନ୍ନାଞ୍ଚଳ ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହି ପୁସ୍ତକ ପହଞ୍ଚିପାରିବ।

Spread the love