ଗିରଫ ହୋଇଛନ୍ତି କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାର ଅହିଂସା

ବେଙ୍ଗାଲୁରୁ: କର୍ଣ୍ଣାଟକା ହାଇକୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ଟ୍ବିଟ କରିବା  ମହଙ୍ଗା ପଡିଛି।  ହିଜାବ ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ମାନହାନିକର ଟ୍ୱିଟ୍ ପୋଷ୍ଟ କରି ଗିରଫ ହୋଇଛନ୍ତି କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାର ଅହିଂସା । ତାଙ୍କ ବିରୋଧରେ ଶେଷାଦ୍ରୀପୁରମ ଥାନାରେ ଆଇପିସିର ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର ହେବା ପରେ ଚେତନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ସିଟି ପୁଲିସ । ଚେତନଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଡେପୁଟି ପୁଲିସ କମିଶନର ଏମ.ଏନ. ଅନୁଚେଠ ।ହିଜାବ ମାମଲାର ବିଚାର କରୁଥିବା ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ଟ୍ୱିଟ କରିଥିବାରୁ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା । ସେପଟେ ବଜରଙ୍ଗୀ କର୍ମୀ ହର୍ଷ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୬ ଜଣ ଗିରଫ ହୋଇସାରିଛନ୍ତି । ଏହି ସମସ୍ତ ୬ ଜଣଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି ବୋଲି କହିଛି ପୁଲିସ । ଏହା ସହ ହତ୍ୟା ମାମଲାରେ ପୁଲିସ ଆହୁରି ୧୨ ଜଣଙ୍କୁ ଅଟକ ରଖିଛି । ପୁଲିସର କହିବା ଅନୁସାରେ ଗିରଫ ୬ ଜଣଙ୍କ ମଧ୍ୟରୁ ୩ ଜଣ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ସମସ୍ତ ଅଭିଯୁକ୍ତଙ୍କ ଘର ଶିବମୋଗାରେ ।ସେପଟେ ଉତ୍ତେଜନା ଥମୁନଥିବାରୁ ଶିବମୋଗାରେ କର୍ଫ୍ୟୁ ଅବଧି ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତ ରବିବାର ରାତିରେ ଟେଲର କାମ କରୁଥିବା ହର୍ଷ ନାମକ ଜଣେ ବଜରଙ୍ଗୀ କର୍ମୀଙ୍କୁ ହତ୍ୟା କରିବା ପରଠାରୁ ଶିବମୋଗାରେ ଜାରି ରହିଛି ଉତ୍ତେଜନା । ଏହି ହତ୍ୟା ଘଟଣା ସହ ହିଜାବ ମାମଲାର କୌଣସି ସମ୍ପର୍କ ନାହିଁ ବୋଲି ଖୋଦ୍ ଗୃହମନ୍ତ୍ରୀ କହୁଥିବାବେଳେ ଅନ୍ୟ ଜଣେ ମନ୍ତ୍ରୀ ଏହାକୁ ଖଣ୍ଡନ କରୁଛନ୍ତି ।

Spread the love