୫୦ ହଜାର ସୈନିକ ହରାଇବାକୁ ଋଷ ପ୍ରସ୍ତୁତ

ନୂଆଦିଲ୍ଲୀ,୨୭।୦୨ :ୟୁକ୍ରେନ ବିରୁଦ୍ଧ ଯୁଦ୍ଧରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜର ସୈନିକଙ୍କ ବଳିକୁ ପ୍ରସ୍ତୁତ । ଏକ ରିପୋର୍ଟରେ ଏହା ଦାବି କରାଯାଇଛି । ରିପୋର୍ଟ ଅନୁସାରେ ଏହି ଯୁଦ୍ଧରେ ଋଷ ନିଜର ୫୦,୦୦୦ ସୈନିକଙ୍କୁ ହରାଇବାକୁ ପ୍ରସ୍ତୁତ ଅଛି । କିଛି ଲିକ୍ ଦସ୍ତାବିଜକୁ ଆଧାର କରି ପ୍ରକାଶ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି ଯେ, ଋଷ ମେଡିକାଲ ଏମର୍ଜେନ୍ସି ପାଇଁ ପ୍ରସ୍ତୁତି କରୁଛି । ଏଥିପାଇଁ ସାରା ଦେଶରୁ ଡାକ୍ତରଙ୍କ ଟିମ୍ ପ୍ରସ୍ତୁତ କରାଯାଉଛି।

ଆଇଟିଭିର ସାମ୍ୱାଦିକା ବରୋଜ ଟ୍ୱିଟରରେ ଏକ ଦସ୍ତାବିଜ ସେୟାର କରିଛନ୍ତି । ଏହି ଦସ୍ତାବିଜରେ ଫେବ୍ରୁଆରୀ ୨୫ରେ ଦେଶର ଉପ-ସ୍ୱାସ୍ଥ୍ୟମନ୍ତ୍ରୀ କରିଥିବା ହସ୍ତାକ୍ଷର ରହିଛି । ଏଥିରେ ଋଷର ସ୍ୱାସ୍ଥ୍ୟାନୁଷ୍ଠାନ ଗୁଡିକୁ ଲୋକଙ୍କ ଜୀବନ ବଞ୍ଚାଇବା ଏବଂ ଲୋକଙ୍କ ସ୍ୱାସ୍ଥ୍ୟର ଦେଖାଶୁଣା ପାଇଁ ତୁରନ୍ତ ସାମିଲ ହେବାକୁ କୁହାଯାଇଛି।

ମିରର ଗୁଇନ୍ଦା ରିପୋର୍ଟକୁ ଅଧାର କରି ଦାବି କରିଛି ଯେ, ଋଷ ନିଜର ୫୦,୦୦୦ ଯବାନଙ୍କୁ ଯୁଦ୍ଧରେ ହରାଇବାକୁ ପ୍ରସ୍ତୁତ ଅଛି । ପୁଟିନଙ୍କ ପାଇଁ ଏହି ବିଜୟ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ତେଣୁ ସେ ମୃତ୍ୟୁ ସଂଖ୍ୟାକୁ ନେଇ ଆଦୌ ଚିନ୍ତିତ ନୁହନ୍ତି । ପ୍ରତିରକ୍ଷା ବିଶେଷଜ୍ଞ ହାମିସ ଡି ବ୍ରେଟନ-ଗାର୍ଡନ ମିରରକୁ କହିଛନ୍ତି, ଯଦି ଋଷର ଯୋଜନା ବିଫଳ ହୁଏ ତେବେ ସେ ରସାୟନ ଅସ୍ତ୍ରର ପ୍ରୟୋଗ କରିପାରେ।

ୟୁକ୍ରେନର ଜଣେ ସୈନ୍ୟ ଅଧିକାରୀ ଆଇଟିଭିକୁ କହିଛନ୍ତି ଦସ୍ତାବିଜରୁ ସ୍ପଷ୍ଟ ହୋଇଛି ଯେ, ଋଷ ୟୁକ୍ରେନଠାରୁ ଏପରି କଡା ଜବାବ ମିଳିବା ନେଇ ଆଶା କରିନଥିଲା। ୟୁକ୍ରେନର ସୈନ୍ୟ ଅଧିକାରୀଙ୍କ ଅନୁସାରେ, ସେମାନେ ୩,୦୦୦ ଋଷ ନାଗରିକଙ୍କୁ ମାରିବାରେ ସଫଳ ହୋଇଛନ୍ତି ଏବଂ ୨୦୦ରୁ ଅଧିକଙ୍କୁ ବନ୍ଦୀ କରି ରଖିଛନ୍ତି। ୟୁକ୍ରେନ ଅସ୍ତ୍ର ଛାଡୁ ନଥିବାରୁ ଶନିବାର ଋଷ ସବୁ ଦିଗରୁ ଆକ୍ରମଣକୁ ଅଧିକ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା ।

Spread the love