୮ରେ ‘ଓମେନ୍‌ ଆଚିଭର୍ସ ଅଫ୍ ଓଡିଶା-୨’, ଶ୍ରେଷ୍ଠ ପ୍ରତିଭା ବାଛିଲେ ଜୁରି

ଭୁବନେଶ୍ୱର ୦୩।୦୩ : ଅନ୍ତର୍ଜାତୀୟ ମହିଳା ଦିବସରେ ‘ପ୍ରମେୟ’ ଏବଂ ‘ନ୍ୟୁଜ୍‌-୭’ (ସୁମା ରିଅଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌), ସୋଆର ‘ପ୍ରାଚୀନ’ ବିଭାଗ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବ ‘ଓମେନ୍‌ ଆଚିଭର୍ସ ଅଫ୍‌ ଓଡ଼ିଶା (ୱାଓ-୨୦୨୨) ପୁରସ୍କାର ସମାରୋହ ଉତ୍ସବ। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ନିଜ ଉଦ୍ୟମରେ ସଂଘର୍ଷ କରି ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥିବା ମହିଳାଙ୍କୁ ସ୍ୱୀକୃତି ପ୍ରଦାନ ସାଙ୍ଗକୁ ଉତ୍ସାହିତ କରିବା ଏହାର ଉଦ୍ଦେଶ୍ୟ । ଏଥିପାଇଁ ସାରା ରାଜ୍ୟରେ କୃତୀ ମହିଳାମାନଙ୍କ ପାଖରୁ ଆବେଦନ ଆହ୍ୱାନ କରାଯାଇଥିଲା । ଆବେଦନଗୁଡ଼ିକୁ ବିଚାରକୁ ନେଇ ଗଠିତ ସ୍ୱତନ୍ତ୍ର ଜୁରି କମିଟି ଦ୍ୱାରା ଶ୍ରେଷ୍ଠ ପ୍ରତିଭାମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଛି ।

ବୁଧବାର ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଜୁରିମାନଙ୍କ ବୈଠକ ବସି ତ୍ରୁଟିଶୂନ୍ୟ ଏବଂ ନିରପେକ୍ଷ ଭାବେ ଚୟନ ପ୍ରକ୍ରିୟା ଶେଷ କରାଯାଇଛି । ଶ୍ରେଷ୍ଠ ମହିଳା ପ୍ରତିଭା ମନୋନୟନ ନେଇ ଦ୍ୱିତୀୟ ଥର ଲାଗି ଜୁରି କମିଟି ବୈଠକ ବସିଥିଲା । ପ୍ରବୀଣ ବିଚାରକ ମଣ୍ଡଳୀର ଅଧ୍ୟକ୍ଷା ବିଶିଷ୍ଟ ଐତିହାସିକ ତଥା ଗବେଷିକା ପ୍ରଫେସର ଡ. ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟା ଅନୁରାଧା ମହାନ୍ତି (ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା), ପ୍ରାଚୀତାରା ମିଶ୍ର (ଷ୍ଟୋରୀଟେଲର ତଥା ଟ୍ରେନର), ସୌମ୍ୟା ଦାଶ (ଅଭିନେତ୍ରୀ ତଥା ବ୍ଲିସଫୁଲ୍‌ ଯୋଗ କେନ୍ଦ୍ରର ପ୍ରତିଷ୍ଠାତା), ପ୍ରତିଭା ପଣ୍ଡା (ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଗୁରୁ), ଚିନ୍ମୟୀ ପଣ୍ଡା (ସମାଜସେବୀ ତଥା ପ୍ଲେ ସ୍କୁଲ୍‌ ପ୍ରତିଷ୍ଠାତା) ପ୍ରମୁଖ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଦୁଇଟି ବର୍ଗରେ ଭାଗ ହୋଇ ଜୁରିମାନେ ପ୍ରତିଭାମାନଙ୍କ ଚୟନ କରିଥିଲେ । ସୋଆ ‘ପ୍ରାଚୀନ’ର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ବୈଠକକୁ ସଂଯୋଜନା କରିଥିଲେ ।

ଆସନ୍ତା ୮ ତାରିଖ ପୂର୍ବାହ୍ଣ ୧୧ଟାରେ ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ଠାରେ ହେବାକୁ ଥିବା ଏହି ଉତ୍ସବରେ ଜୁରିମାନଙ୍କ ଦ୍ୱାରା ମନୋନୀତ ଶ୍ରେଷ୍ଠ ୩୦ ପ୍ରତିଭାଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯିବ । ଦିବସବ୍ୟାପି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେବ । ଏହି ଅବସରରେ ‘ସ୍ୱଗୃହରେ ସଶକ୍ତିକରଣର ଆରମ୍ଭ’ ଶୀର୍ଷକ ବିଷୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ୬ଜଣ ପ୍ରତିଷ୍ଠିତ ମହିଳା ଅଂଶଗ୍ରହଣ କରି ମତ ରଖିବେ । ଏଥିସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ।

ଜୁରି ଚୟନ ପୂର୍ବରୁ ବୈଠକରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର, ସିଇଓ ସୁନୀଲ ଦାସ, ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା, ‘ପ୍ରମେୟ’ ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ଏବଂ ପ୍ରସାର ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love