ଆନନ୍ଦପୁରରେ ବିଲାତିର ଅଭାବି ବିକ୍ରି; ଚିନ୍ତାରେ ଚାଷି

ଆନନ୍ଦପୁର ୦୬/୦୩ : କୃଷି ଏବଂ କୃଷକର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହି ଟଙ୍କା କିନ୍ତୁ ଠିକ ଭାବରେ ବିନିଯୋଗ ହୋଇପାରୁନାହିଁ। ଶୀତଳ ଭଣ୍ଡାର ଏବଂ ଉପଯୁକ୍ତ ବଜାର ନଥିବାରୁ ବିଲାତିକୁ ଏବେ ବହୁତ କମ ଦରରେ ବିକ୍ରି କରୁଛନ୍ତି ଆନନ୍ଦପୁର ଅଞ୍ଚଳର ଚାଷୀ । ବିଲାତିର ଅଭାବୀ ବିକ୍ରି ଚାଷୀର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆନନ୍ଦପୁର ଉପଖଣ୍ଡର ପଦ୍ମପୁର, ଜଙ୍ଘାର, ସରେଇଁ ଓ ହାତିବନ୍ଧାର ଅନେକ ଚାଷୀ ବିଲାତି ଚାଷ କରିଥିଲେ । ଚଳିତ ବର୍ଷ ଧାନ ଫସଲ ଭଲ ଅମଳ ହୋଇ ନଥିବାରୁ ଧାର କରଜ କରି ଏକର ଏକର ଜମିରେ ସେମାନେ ବିଲାତି ଚାଷ କରିଥିଲେ। ଜମିକୁ ଉପଯୁକ୍ତ ଚାଷ କରି ସାର, କୀଟନାଶକ ଔଷଧ ପକାଇ ଜଳସେଚନ କରି ସୁନ୍ଦର ଫସଲ ଅମଳ କରିଥିଲେ। କିନ୍ତୁ ବିଲାତିର ଅଭାବୀ ବିକ୍ରି ସେମାନଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଇଛି। ଉପଯୁକ୍ତ ବଜାର ଦର ନଥିବାରୁ ଚାଷୀମାନେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିଲାତି କିଲୋ ପ୍ରତି ୨ ଟଙ୍କା ହିସାବରେ ବିକ୍ରି କରୁଥିବା କହିଛନ୍ତି। ଏହାସହ ବିଲାତି ଗୋଟିଏ ଟ୍ରେ ତୋଳିବା ପାଇଁ ୩୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିକ୍ରି ହେଉଛି ମାତ୍ର ୫୦ ଟଙ୍କାରେ। ଉପଯୁକ୍ତ ମଣ୍ଡି ଅଭାବ ସହ ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାରର ଅଭାବ ଥିବାରୁ ବାରମ୍ବାର ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ଏଠାକାର ଚାଷୀ

Spread the love