ଜର୍ମାନୀ ବିପକ୍ଷରେ ଭାରତ ପ୍ରୋ-ଲିଗ୍‌ ମହିଳା ହକି

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ମାର୍ଚ୍ଚ ୧୨, ୧୩ରେ ଭାରତ FIH  ମହିଳା ପ୍ରୋ-ଲିଗ୍‌ ହକି-୨୦୨୨ର ୩ୟ ଚରଣ ମ୍ୟାଚ ଜର୍ମାନୀ ବିପକ୍ଷରେ ଖେଳିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୨ଜଣିଆ ଭାରତୀୟ ଦଳ ବଛାଯାଇଛି। ରାଣୀ ରାମପାଲଙ୍କ ଅନୁପସ୍ଥିତିରେ ସବିତା ଅଧିନାୟିକା ଓ ଓଡ଼ିଆ ରକ୍ଷଣାଭାଗ ଖେଳାଳି ଦୀପ୍‌ ଗ୍ରେସ ଏକ୍କା ଉପଅଧିନାୟିକା ଦାୟିତ୍ବ ତୁଲାଇବେ। ଦଳରେ ଓଡ଼ିଶାରୁ ୨ ଜଣ ଖେଳାଳି ଭାବେ ଦୀପ୍‌ ଗ୍ରେସଙ୍କ ସମେତ ମାରିଆନା କୁଜୁର ସ୍ଥାନ ପାଇଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ନମିତା ଟପ୍ପୋ ଷ୍ଟାଣ୍ଡବାଇ ରହିଛନ୍ତି। ସେହିପରି ଦଳରେ ନୂତନ ଭାବେ ଦୁଇ ଖେଳାଳି ଦୀପିକା ଓ ଆସ୍ଥା ଆବାସୋ ଧାକ୍‌ଲେଙ୍କୁ ସ୍ଥାନ ମିଳିଛି। ଦଳ କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟ ପ୍ରଶିକ୍ଷକ ଜାନ୍‌କେ ସ୍କୋପମ୍ୟାନଙ୍କ ନେତୃତ୍ବରେ ଦଳର ପ୍ରଶିକ୍ଷଣ ଚଳାଇଛି। ଜର୍ମାନୀ ବିପକ୍ଷ ମ୍ୟାଚକୁ ନେଇ ମୁଖ୍ୟ ପ୍ରଶିକ୍ଷକ ଜାନ୍‌କେ ସ୍କୋପମ୍ୟାନ କହିଛନ୍ତି ଯେ, ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିରେ ଭାରତୀୟ ଦଳ ଭଲ ଆରମ୍ଭ କରିଛି। ଚୀନ୍‌ ବିପକ୍ଷ ବିଜୟ ପରେ ସ୍ପେନ ସହିତ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲୁ। ୨ୟ ମ୍ୟାଚରେ ଛୋଟ ଭୁଲ ପାଇଁ ମ୍ୟାଚ ହାତଛଡ଼ା କରିଥିଲୁ। ଜର୍ମାନୀ ବିପକ୍ଷ ମ୍ୟାଚରେ ଆମେ ପୂର୍ବ ତ୍ରୁଟିକୁ ସୁଧାରି ଖେଳିବୁ। ବିଜୟଧାରାକୁ ଫେରିବା ନେଇ ଆମେ ପ୍ରସ୍ତୁତ। ଭାରତ ପ୍ରଥମ ୨ଟି ମ୍ୟାଚରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ଗ୍ରୁପ୍‌ର ୩ୟ ସ୍ଥାନରେ ରହିଛି।

Spread the love