ପ୍ରଶାନ୍ତ ଜଗଦ୍ଦେବଙ୍କ ବର୍ବରକାଣ୍ଡକୁ ନେଇ ବିରୋଧ ଜାରି

ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବର୍ବରକାଣ୍ଡକୁ ନେଇ ବିରୋଧ ଜାରି ରହିଛି । ବିଧାୟକଙ୍କ ଏପରି ନୃଶଂସକାଣ୍ଡ ପରେ ଘନେଇବାରେ ଲାଗିଛି ବିବାଦ । ପ୍ରତିବାଦରେ ଆଜି ସମସ୍ତ ସହରାଞ୍ଚଳରେ କଳାପଟି ବାନ୍ଧି ସତ୍ୟାଗ୍ରହ କରୁଛି ବିଜେପି । ଗତକାଲି ଇଓଓଗଝ ଯାଇ ଆହତମାନଙ୍କୁ ଭେଟିଥିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଫାଷ୍ଟଟ୍ରାକ୍ କୋର୍ଟ ଜରିଆରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଦାବି କରିଛି ଦଳ । ପ୍ରଶାନ୍ତଙ୍କ ନାଁରେ ଲାଗିଛି ଦଫା ୩୦୭, ୩୨୬, ୩୫୩, ୩୨୩, ୩୨୪, ୩୩୨, ୩୩୩ ଏବଂ ୩୫୩ । ୩୦୭ ହେଉଛି ହତ୍ୟା ଉଦ୍ୟମ । ଯେଉଁଥିରେ ଅତି କମରେ ୧୦ ବର୍ଷର ଜେଲଦଣ୍ଡ ହୋଇପାରେ । ୨ ବର୍ଷର ଜେଲଦଣ୍ଡ ହେଲେ ସଦସ୍ୟତା ରଦ୍ଦ ହେବ । ଏବେ ବଡ଼ ପ୍ରଶ୍ନ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ତ?

ଏଠାରେ କହି ରଖୁଛୁ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡ଼ି ଚଳାଇ କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ବିଧାୟକଙ୍କ ଗାଡ଼ି ଚାପାରେ ପ୍ରାୟ ୨୨ରୁ ଉର୍ଦ୍ଧ୍ବ ଜଣ ଗୁରୁତର ହୋଇଥିଲେ । ସେଥିମଧ୍ୟରେ ୧୫ ଜଣ ବିଜେପି କର୍ମୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ବିଧାୟକଙ୍କ ଗାଡ଼ି ଧକ୍କାରେ ୯ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିରେ ବିଧାୟକ ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଜାରିଥିବାବେଳେ ସୁସ୍ଥ ହେବା କ୍ଷଣି ତାଙ୍କୁ ଗିରଫ କରାଯିବ ବୋଲି କହିଛି ବିଜେଡି ।

Spread the love