କଳିଙ୍ଗ ବିରାଙ୍ଗନା ସମ୍ମାନରେ ସମ୍ମାନିତ ହେଲେ ସମ୍‌ କୋଭିଡ୍‌ ଯୋଦ୍ଧା କମଳିନୀ ମଲ୍ଲିକ୍‌, ସେବା ପ୍ରୟାସ ଫାଉଣ୍ଡେସନ୍‌ ପକ୍ଷରୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର ୧୪/୩: ସମ୍‌ କୋଭିଡ୍‌ ହସ୍ପିଟାଲ୍‌ର କୋଭିଡ୍‌ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “କଳିଙ୍ଗ ବିରାଙ୍ଗନା” ସମ୍ମାନରେ ସମ୍ମାନିତ କରାଯାଇଛି । ସେବା ପ୍ରୟାସ ଫାଉଣ୍ଡେସନ୍‌ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଃସ୍ୱାର୍ଥପର କାର୍ଯ୍ୟ ନିମନ୍ତେ ସମ୍‌ କୋଭିଡ୍‌ର ନର୍ସିଂ ଇନ୍‌ଚାର୍ଜ ଶ୍ରୀମତି ମଲ୍ଲିକଙ୍କୁ ରବିବାର ପୁରୀ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଜିଓନାଲ୍‌ ମେଡିକାଲ୍‌ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଯୋଗ ଦେଇ କମଳିନୀଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ ।

କୋଭିଡ ମହାମାରୀ ଆରମ୍ଭ ହେବା ପରେ ଓ ସମ୍‌ କୋଭିଡ ହସ୍ପିଟାଲ୍‌ କାର୍ଯ୍ୟାରମ୍ଭ ହେବା ପର ଠାରୁ ଦୀର୍ଘ ୨ ବର୍ଷ ହେବ ନିରନ୍ତର ଭାବେ କରୋନା ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି କମଳିନୀ । ଏହି ଅବସରରେ ସମାଜ ସେବୀ ଶ୍ରୀମତି ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ, ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକା ମିନତୀ ସିଂହ, ସାହିତ୍ୟ କ୍ଷେତ୍ରରେ ଶ୍ରୀମତି ହିରଣ୍ମୟୀ ମିଶ୍ର, ରାଜନୀତି କ୍ଷେତ୍ରରେ ଶ୍ରୀମତି ସସ୍ମିତା ସାହାଣୀ, ସମାଜ ସେବା କ୍ଷେତ୍ରରେ ଶ୍ରୀମତି ରିନା ସାହୁ, ଶିକ୍ଷା କ୍ଷେତ୍ରରେ ଶ୍ରୀମତି ଝିଲ୍‌ମିଲ୍‌ ସାହୁ ଏବଂ ଅଭିନୟ କ୍ଷେତ୍ରରେ କୁମାରୀ ଜାଗୃତି ରଥଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଅଲିମ୍ପିଆନ୍‌ ଶ୍ରୀମତି ଅନୁରାଧା ବିଶ୍ୱାଳ, ନୃତ୍ୟ ଶୀଳ୍ପି ଶ୍ରୀ ଶାଶ୍ୱତ ଯୋଶୀ ଏବଂ କଳିଙ୍ଗ ବିରାଙ୍ଗନା ପୁରସ୍କାରର ଉପଦେଷ୍ଟା ଶ୍ରୀମତି ପ୍ରିତିଛନ୍ଦା ଧଳ ଯୋଗ ଦେଇ ଏହି ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସେବା ପ୍ରୟାସ ଫାଉଣ୍ଡେସନ୍‌ ପକ୍ଷରୁ ମହିଳା କାର୍‌ ର‌୍ୟାଲିର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା ।

ଭୁବନେଶ୍ୱର ଉପକଣ୍ଠ ଫୁଲନଖରା ଓଭରବ୍ରିଜ୍‌ ନିକଟରୁ ଆରମ୍ଭ ହୋଇଥିବା ଏହି ରାଲିରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକ, ଖଣ୍ଡପଡାର ଯୁବରାଜ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଓ ସେବା ପ୍ରୟାସ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍‌ ସୁବୁଦ୍ଧି ଯୋଗ ଦେଇ ଏହି କାର୍‌ ର‌୍ୟାଲିର ଫ୍ଲାଗ୍‌ ଅଫ୍‌ କରିବା ସହ ମହିଳା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍‌ ରାଲି ଫୁଲନଖରା ଠାରୁ ଆରମ୍ଭ ହୋଇ ପୁରୀ ସାତସଙ୍ଖ ଦେଇ ୱଣ୍ଡର୍‌ ୱାର୍ଲ୍ଡ ୱାଟର ପାର୍କଠାରେ ଶେଷ ହୋଇଥିଲା । ଦୀର୍ଘ ୮୦ କିମି ଅତିକ୍ରମ କରି ଏହି କାର୍‌ ରାଲି ପ୍ରତିଯୋଗିତାରେ ସାମିଲ୍‌ ହୋଇଥିଲେ ୫୦ ଜଣ ମହିଳା । ସେମାନଙ୍କ ମଧ୍ୟରୁ କର୍ଣ୍ଣେଲ୍‌ ସୋନାଲି ରଥ ବିଜୟୀ ହୋଇଥିବା ବେଳେ ଶ୍ରୀମତି ସନ୍ତୋଷି ସାହୁ ଫାଷ୍ଟ ରନର୍‌ଅପ୍‌ ଏବଂ ଶ୍ରୀମତି ଅର୍ଚ୍ଚନା ପଟ୍ଟନାୟକ ସେକେଣ୍ଡ ରନର୍‌ଅପ୍‌ ଭାବେ ବିଜୟ ହାସଲ କରିଥିଲେ । ଶ୍ରୀମତି ଶ୍ରଦ୍ଧା ମହାପାତ୍ର ଓ ମୀତା ମାନାଙ୍କୁ ସାନ୍ତ୍ୱନାମୂଳକ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି କାର୍‌ ରାଲି ପ୍ରତିଯୋଗିତାର ଜୁରୀ ଥିଲେ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ, ରୋଟାରିଆନ୍‌ ଶ୍ରୀମତି ଜୟଶ୍ରୀ ମହାନ୍ତି, ସୁଶ୍ରୀ ସିନି ମହାନ୍ତି ଏବଂ ଶ୍ରୀ ରଞ୍ଜନ ଜୟଶ୍ୱାଲ୍‌ । ବିଜୟୀ ପ୍ରତିଯୋଗୀମାନଙ୍କୁ ଡକ୍ଟର ପତି, ଶ୍ରୀ ସିଂହ, ଶ୍ରୀମତି ବିଶ୍ୱାଳ ଓ ଶ୍ରୀ ଯୋଶୀ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେବା ପ୍ରୟାସ ଫାଉଣ୍ଡେସନ୍‌ର ଉପଦେଷ୍ଟା ଶ୍ରୀମତି ଅହଲ୍ୟା ସୁବୁଦ୍ଧି ଉପସ୍ଥିତ ଥିବା ବେଳେ ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍‌ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love