ବିମାନରେ ଏବେ ଗୋଟିଏରୁ ଅଧିକ ବ୍ୟାଗ୍‌ ସାଙ୍ଗରେ ନେଇ ପାରିବେନି ଯାତ୍ରୀ,ସଂସଦରେ ଜବାବ ରଖିଲେ ସିନ୍ଧିଆ

ନୂଆଦିଲ୍ଲୀ ୩୧।୩: ସିଭିଲ ଏଭିଏସନ ସିକ୍ୟୁରିଟି ବ୍ୟୁରୋଙ୍କ ୱାନ ହ୍ୟାଣ୍ଡବ୍ୟାଗ୍ ନୀତି ଏବେ ବିମାନ କମ୍ପାନୀମାନେ ପାଳନ କରିବା ଆରମ୍ଭ କଲେଣି। କେନ୍ଦ୍ର ବେସମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ସଂସଦରେ ଏକ ସପ୍ଲିମିଣ୍ଟାରୀ ପ୍ରଶ୍ନର ଜବାବରେ ଏହା କହିଛନ୍ତି। ଏ ବାବଦେ ଏଭିଏସନ ସିକ୍ୟୁରିଟି ବ୍ୟୁରୋ ଏକ ସର୍କୁଲାର ମଧ୍ୟ ଜାରି କରିଛନ୍ତି। ଯାହା ଉପରେ ଏବେ ବିମାନ କମ୍ପାନୀମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ମନ୍ତ୍ରୀ କହିଛନ୍ତି।

ଏଭିଏସନ ସିକ୍ୟୁରିଟି ବ୍ୟୁରୋ ୨୪ ଫେବୃଆରୀ ୨୦୨୨ରେ ଏହି ସର୍କୁଲାର ଜାରି କରିଥିଲେ। ଏଥିରେ ବିମାନ କ୍ୟାବିନରେ ଯାତ୍ରୀଙ୍କୁ ସାଥିରେ କେବଳ ଗୋଟିଏ ହ୍ୟାଣ୍ଡବ୍ୟାଗ ନେବାକୁ ଅନୁମତି ଥିବା ବେଳେ ଚାହିଁଲେ ସାଙ୍ଗରେ ଲାପଟପ୍ ବି ରଖିପାରିବେ ବୋଲି କୁହାଯାଇଛି। ସେହିପରି ବିମାନରେ ମହିଳା ଯାତ୍ରୀଙ୍କୁ ହ୍ୟାଣ୍ଡବ୍ୟାଗ୍ ସାଙ୍ଗକୁ ଏକ ଓଭର କୋଟ ଅଥବା ଉଲ ଚାଦର, କମ୍ବଳ ଗୋଟିଏ କ୍ୟାମେରା ବା ଦୁରବିକ୍ଷଣ ଯନ୍ତ୍ର, ଯାତ୍ରା କାଳରେ ବିମାନରେ ପଢିବା ଲାଗି ପଠନ ସାମଗ୍ରୀ, ଛତା ଅଥବା ଚାଲିବା ବାଡି, ଯାତ୍ରାକାଳରେ ସାଙ୍ଗରେ ଶିଶୁ ଥିଲେ ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପିଲାଙ୍କ ଗାଡି ଆଦି ନେଇ ପାରିବେ।

ଏୟାରଲାଇନମାନେ ସେମାନଙ୍କ ୱେବସାଇଟ୍, ସୋସିଆଲ ମିଡିଆ ଓ ଅନ୍ୟ ପ୍ରଚାର ମାଧ୍ୟମରେ ଏ ବାବଦେ ବ୍ୟାପକ ପ୍ରଚାର ଓ ପ୍ରସାର କରାଇଥିବାର ମଧ୍ୟ ମନ୍ତ୍ରୀ ସଦନରେ କହିଛନ୍ତି। ଲୋକସଭାରେ ଏ.କେ.ପି.ଚିନରାଜ ଏକ ସପ୍ଲିମିଣ୍ଟାରୀ ପ୍ରଶ୍ନରେ ଘରୋଇ ଉଡାଣରେ ବିମାନ କମ୍ପାନୀନମାନେ କ୍ୟାବିନରେ ୱାନ ହ୍ୟାଣ୍ଡବ୍ୟାଗ ନିୟମର ପାଳନ କଲେଣି କି ବୋଲି ପ୍ରଶ୍ନ କରିଥିଲେ।

Spread the love