ଚିଲିକା ବିଧାୟକଙ୍କ ଜାମିନ ଆବେଦନ ଖାରଜ କଲେ ବାଣପୁର କୋର୍ଟ

ଟାଙ୍ଗୀ, ୩୧।୦୩: ଚିଲିକା ବିଧାୟକଙ୍କ ଜାମିନ ଆବେଦନ ଖାରଜ କଲେ ବାଣପୁର କୋର୍ଟ । ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଓରଫ ଗଣେଶ ଜଗଦ୍ଦେବ ଜାମିନ ପାଇବା ପାଇଁ ଆଜି ବାଣପୁର କୋର୍ଟରେ ଆବେଦନ କରିଥିଲେ । ମାନ୍ୟବର ଅଦାଲତ ତାଙ୍କର ଏହି ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।

ଚଳିତ ମାସ ୨୨ ତାରିଖରୁ ଗିରଫ ହୋଇ ଚିଲିକା ବିଧାୟକ ଏବେ ବାଣପୁର ସବ୍-ଜେଲ୍ ରେ କଏଦୀ ଭାବେ ଅଛନ୍ତି ।

ସୂଚନା ଥାଉକି, ଗତ ମାର୍ଚ୍ଚ ୧୨ ତାରିଖରେ ବିଧାୟକଙ୍କ ଦବଙ୍ଗି ଆଚରଣ ଦେଖାଦେଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଜେପି କର୍ମିଙ୍କ ଉପରକୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ କାବୁ କରି ନିର୍ଧୁମ ପିଟିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ବିଧାୟକଙ୍କୁ ଭୁବନେଶ୍ବରର ହସ୍ପିଟାଲରେ ଭର୍ତ୍ତି କରାଇଥିଲା ପୋଲିସ । ସେଠାରେ ୧୦ ଦିନ ଧରି ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ପରେ ବାଣପୁର ପୋଲିସ ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ବର କୋର୍ଟରେ ହାଜର ପରେ ପ୍ରଶାନ୍ତ ଜଗଦେବଙ୍କୁ ନିଆଯାଇଥିଲା ବାଣପୁର କୋର୍ଟ। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Spread the love