ମାର୍ଚ୍ଚ ମାସରେ ସର୍ବକାଳୀନ ଜିଏସଟି ରେକର୍ଡ

ନୂଆଦିଲ୍ଲୀ : ୨୦୨୧ର ମାର୍ଚ୍ଚ ମାସ ତୁଳନାରେ ୧୫ ପ୍ରତିଶତ ଅଧିକ ଅଥାତ ଗତ ମାର୍ଚ୍ଚ ମାସରେ ମୋଟ ୧.୪୨ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ମାସିକ ଜିଏସଟି ସଂଗ୍ରହରେ ଏହା ସର୍ବକାଳୀନ ରେକର୍ଡ ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତବର୍ଷର ଏପ୍ରିଲ ମାସରେ ରେକର୍ଡ ୧ ଲକ୍ଷ ୪୧ ହଜାର ୩୮୪ କୋଟିର ଜିଏସଟି ସଂଗ୍ରହ କରାଯାଇଥିଲା ।ମାର୍ଚ୍ଚ ମାସରେ ସଂଗ୍ରହ ହୋଇଥିବା ୧.୪୨ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୫,୮୩୦ କୋଟି, ରାଜ୍ୟ ଜିଏସଟି ଟ.୩୨,୩୭୮ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୭୪,୪୭୦ କୋଟି ଟଙ୍କା ଓ ସେସ ୯୪୧୭ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।ନିକଟରେ ସମାପ୍ତ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ମାସିକ ଜିଏସଟି ରାଜସ୍ବ ୧ ଲକ୍ଷ କୋଟିରୁ ହ୍ରାସ ପାଇଥିଲା । ତେବେ ପରେ କରୋନାର ପ୍ରକୋପ କମିବା ସହ ଲକଡାଉନ କଟକଣା କୋହଳ ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପ  ସ୍ବାଭାବିକ ହୋଇଥିଲା । ଏହା ଫଳରେ ଧୀରେ ଧୀରେ ଜିଏସଟି ସଂଗ୍ରହ ପୁଣି ସ୍ବାଭାବିକ ହୋଇଥିଲା ।

Spread the love