ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି। ଗତକାଲି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୧୯୮୭ ବ୍ୟାଚର ବରିଷ୍ଠ ଆଇଏଏସ୍ ସଚିବ ଡ. ମୋନା ଶର୍ମା ଥିବାବେଳେ ଏବେ  ନିକୁଞ୍ଜ କିଶୋର ସୁନ୍ଦରାୟଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି।ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମହାନ୍ତି ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ ସରକାରଙ୍କ ନିଷ୍ପତି ଅନୁଯାୟୀ ୧୯୯୬ ବ୍ୟାଚର ଆଇଏଏସ୍ ତଥା ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କୁ ପୂର୍ତ ବିଭାଗର ପ୍ରମୁଖ ସଚିବ ଏବଂ  ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ  ଦାୟିତ୍ୱ ପ୍ରଦାନ କରାଯାଇଛି।  ଏହି ନୂତନ ଦାୟିତ୍ୱକୁ ମିଶାଇ ଶ୍ରୀ ଯାଦବ ଏବେ ଖାଦ୍ୟ ଯୋଗାଣ, ପୂର୍ତ ବିଭାଗର ପ୍ରମୁଖ ସଚିବ ସହିତ ଟିପିଆଇ ଆୟୁକ୍ତ, ରାଜ୍ୟ ପଛୁଆବର୍ଗ ଆୟୋଗର ସଦସ୍ୟ ସଚିବ ଏବଂ ଓଏସଡବ୍ଲସିର ଅଧ୍ୟକ୍ଷ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ତେବେ ତାଙ୍କ ହାତରୁ କେବଳ ସମବାୟ ବିଭାଗକୁ କାଢ଼ି ନିଆଯାଇଛି।ସେହିପରି ୧୯୮୯ ବ୍ୟାଚର ଆଇଏଏସ୍ ତଥା କୃଷି ବିଭାଗ ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର ଚଢ଼ାଙ୍କୁ ସମବାୟ ବିଭାଗର ଭାରପ୍ରାପ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ସେ ‘ଓସମା’ ବୋର୍ଡର ନିର୍ଦେଶକ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। ଅନ୍ୟପକ୍ଷରେ ୨୦୧୩ ବ୍ୟାଚର ଆଇଏଏସ୍ ଶୁଭମ ସକ୍ସେନାଙ୍କୁ ଓଡ଼ିଶା ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ସେ ଲଘୁଖଣିଜ ନିର୍ଦେଶକ, କୃଷି ବିଭାଗର ଯୁଗ୍ମ ସଚିବ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ।

Spread the love