ଓଡ଼ିଶା ଛାତ୍ରଛାତ୍ରୀ ଯିବେ ଇସ୍ରୋ ଓ ନାସା

ଭୁବନେଶ୍ୱର:  ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ବିଜ୍ଞାନ ଶିକ୍ଷାକୁ ଅଧିକ ସଶକ୍ତ କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ‘ଇସ୍ରୋ’ ଓ ‘ନାସା’କୁ ପରିଦର୍ଶନ ନିମନ୍ତେ ପଠାଇବା ଉଚିତ।  ଓଡ଼ିଶା ବିଜ୍ଞାନ ଏକାଡେମୀର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ରାଜ୍ୟରେ ‘ମୋ ସ୍କୁଲ’ ଯୋଜନାରେ ଆଦର୍ଶ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଉଚ୍ଚତର ତାଲିମ ଦିଆଯିବା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବା ନିମନ୍ତେ ସରକାର କାର୍ଯ୍ୟ କରୁଛନ୍ତି।ଇମେଜ୍‌ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମାରୋହରେ ଆଞ୍ଚଳିକ ଭେଷଜ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶିକା ଡ. ସଂଘମିତ୍ରା ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିବା ବେଳେ ଏକାଡେମୀର ସଭାପତି ପ୍ରଫେସର ବିଭୂତିଭୂଷଣ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଖ୍ୟାତିସଂପନ୍ନ ବୈଜ୍ଞାନିକ ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା, ଡ. ବେଦାଙ୍ଗ ଦାସ ମହାନ୍ତି, ପ୍ରଫେସର ଜ୍ୟୋତିର୍ମୟୀ ଦାଶ, ଡ. ଜ୍ୟୋତିରଞ୍ଜନ ଏସ୍‌. ରାୟ, ଡ. ମାମୋନୀ ଦାଶ ଓ ପ୍ରଫେସର ନାରାୟଣ ପ୍ରଧାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମାନପତ୍ର ଓ ଉପଢୌକନ ସହ ମନ୍ତ୍ରୀ ଶ୍ରୀ ପଣ୍ଡା ସମ୍ମାନିତ କରିଥିଲେ। ଏକାଡେମୀ ଦ୍ୱାରା ପ୍ରକାଶିତ ‘ବିଜ୍ଞାନ ଦିଗନ୍ତ’(ଓଡ଼ିଆ) ଓ ‘ସାଇନ୍ସ ହୋରାଇଜନ୍‌’ (ଇଂରାଜୀ) ପତ୍ରିକା ଉନ୍ମୋଚିତ ହୋଇଥିଲା। ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ, ପ୍ରକଳ୍ପ ନିର୍ମାଣ, ତର୍କ, ଚିତ୍ରାଙ୍କନ ଏବଂ କୁଇଜ୍‌ ପ୍ରତିେଯାଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Spread the love