ସାମ୍ୱାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା, ବଦଳିଲେ ଆଇଆଇସି

ଭୁବନେଶ୍ୱର ୦୮/୦୪: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ମିଛ କେସରେ ଫସାଇ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ । କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ ଆଇଆଇସିଙ୍କ ବଦଳି । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ଅନ୍ୟସ୍ଥାନକୁ ବଦଳି କରାଯାଇଛି । ତାଙ୍କ ସହିତ ମାମଲାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ଉଭୟଙ୍କୁ ବାଲେଶ୍ୱର ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ ବାଲେଶ୍ୱର DIB ଡିଏସ୍‌ପି ସୂଚନା ଦେଇଛନ୍ତି ।

ଏହି ମାମଲାକୁ ନେଇ ଆଜି ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ପୂର୍ବାଞ୍ଚଳ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବା ବେଳେ ଚାରିଆଡେ ପ୍ରତିବାଦ ଆରମ୍ଭ ହୋଇଛି ।

ଆଜି ହ୍ୟୁମାନ ରାଇଟ ସଂସ୍ଥାର ପ୍ରେସିଡେଣ୍ଟ ଡାକ୍ତର ଜିତେନ୍ଦ୍ର ମହାରଣା ନୀଳଗିରିରେ ପହଂଚି ଯେଉଁଠାରେ ଘଟଣା ଘଟିଛି ସେହିଠାରେ ତଦନ୍ତ କରିଛନ୍ତି। ପରେ ଥାନାରେ ପହଞ୍ଚି ମଧ୍ୟ ତଥ୍ୟ ନେଇଛନ୍ତି । ଏଭଳି ଅମାନୁଷିକ କାର୍ଯ୍ୟକୁ ସେ ସମାଲୋଚନା କରିବା ସହ ଦରକାର ପଡ଼ିଲେ ସଂସ୍ଥା ପୋଲିସ ବିରୁଦ୍ଧରେ ମାମଲା ରୁଜୁ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Spread the love