ଋଷ ନିଯୁକ୍ତ କଲା ନୂଆ ସେନା ମୁଖ୍ୟ

ମସ୍କୋ:  ୟୁକ୍ରେନ ବିପକ୍ଷ ଯୁଦ୍ଧକୁ ଅଧିକ ଫଳପ୍ରଦ କରିବା ପାଇଁ ନୂଆ ସେନା ମୁଖ୍ୟଙ୍କୁ ନିଯୁ୍କ୍ତ କଲା ଋଷ। ସେନା କିବ୍‌ ଅଧିକାର କରିବାରେ ବିଫଳ ହେବାରୁ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧରେ ନେତୃତ୍ବ ନେବା ପାଇଁ ଜେନେରାଲ ଆଲେକ୍ସଜେଣ୍ଡର ଡ୍ରୋରନିକୋଭ୍‌ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ୟୁକ୍ରେନ୍‌ରେ ଚାଲିଥିବା ରୁଷ୍‌ର ସାମରିକ ଅଭିଯାନର ‘ଥିଏଟର୍‌ କମାଣ୍ଡର୍‌’ଭାବେ ଡ୍ରୋରନିକୋଭ୍‌ଙ୍କୁ ନାମିତ କରାଯାଇଛି ।

ସୂଚନାଯୋଗ୍ୟ, ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନି ଉପରେ ସୋଭିଏତ୍‌ ଦେଶର ବିଜୟ ବାର୍ଷିକୀ ଅବସରରେ ମେ ୯ ତାରିଖକୁ ଋଷରେ ‘ବିଜୟ ଦିବସ’ ଭାବେ ପାଳନ କରାଯାଏ। ଅନ୍ୟପକ୍ଷରେ ୟୁକ୍ରେନ୍‌ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଗତକାଲି ରୁଷ୍‌ର ୧୩ଟି ବିମାନ ଘାଟିକୁ ଧ୍ବଂସ କରାଯାଇଛି। ଏଥିରେ ରୁଷ୍‌ ୫ଟି ‘ୟୁ‌ଏଭି’, ୪ଟି କ୍ଷେପଣାସ୍ତ୍ର, ୩ଟି ବିମାନ ଏବଂ ଗୋଟିଏ ହେଲିକପ୍ଟର୍‌ ହରାଇଛି।

ଏହାଛଡ଼ା, ଗତକାଲି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଅଚାନକ କିବ୍‌ ଯାଇ ୟୁକ୍ରେନୀୟ ରା‌ଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ଯୁଦ୍ଧବିଧ୍ବସ୍ତ କିଭ୍ ସହର ପରିଦର୍ଶନ କରିବା ସହ ପ୍ରସ୍ତୁତ କରିଛନ୍ତି ରଣନୀତି । ଏହାସହ ଆର୍ଥିକ ଓ ସାମରିକ ସହାୟତା ଯୋଗାଇବା ଲାଗି ଦେଇଛନ୍ତି ପ୍ରତିଶ୍ରୁତି ।

Spread the love