ଆସନ୍ତାକାଲି ଉଦଘାଟିତ ହେବ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ପୁରୀ: ଆସନ୍ତାକାଲି ଉଦଘାଟିତ ହେବ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ ଏବଂ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ ବାଲିଗୁଆଳିରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ କାଲିଠୁ ପ୍ରଥମ ବ୍ୟାଚର ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ। କଲେଜ ପରିସରରେ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡରେ କାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବ।ଏହା ପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ମେଡିକାଲ କଲେଜର ଲୋକାପର୍ଣ ତଥା ଶୁଭ ଉଦଘାଟନ କରିବେ । ଏଥିପାଇଁ ପୁରୀ ଜିଲ୍ଲା, ପୋଲିସ ଓ ମେଡିକାଲ କଲେଜ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ, କ୍ୟାଣ୍ଟିନ୍, ଲ୍ୟାବ୍, ଖେଳପଡ଼ିଆ, କ୍ଲାସ ରୁମ୍ ସହ ପ୍ରଶାସନିକ ଭବନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଏହି ମେଡିକାଲ କଲେଜ ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରମୁଖ ପ୍ରୋଜେକ୍ଟ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ପାଇଁ  ୫ ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ।ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ନେବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ଦୁଇବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ନିଜସ୍ଵ ମେଡିକାଲ ନିର୍ମାଣ ହେବା ପରେ ଏଠାରେ ଆହୁରି ଅଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିବ ।

Spread the love