ତଟ ସୁରକ୍ଷାରେ ୧୨ ହେଲିକପ୍ଟର

ଭୁବନେଶ୍ୱର: ଓଡ଼ିଶାର ସାମୁଦ୍ରିକ ଉପକୂଳରେ ଅନୁପ୍ରବେଶ ତଥା ବେଆଇନ୍‍ କାର୍ଯ୍ୟ ଉପରେ ନଜର ରଖିବ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଏମ୍‍କେ-୩ ସ୍କ୍ୱାର୍ଡନ୍‍। ଯାହା ଓଡ଼ିଶାର ଉପକୂଳ ସୁରକ୍ଷା ସୁନିଶ୍ଚିତ କରିିବା ଭାରତୀୟ ତଟ ରକ୍ଷୀ (ଇଣ୍ଡିଆନ୍‍ କୋଷ୍ଟଗାର୍ଡ) ଏ ଦିଗରେ ଆଉ ଏକ ପାଦ ଆଗକୁ ଯାଇଛନ୍ତି। ଏହା ଶତ୍ରୁ ନାଶ କରିବା ସହ ପ୍ରତ୍ୟେକ ବେଆଇନ୍‍ ଗତିବିଧି ଉପରେ ନଜର ରଖିବା, ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ପାଇଁ ବେଶ୍‍ ସକ୍ଷମ। ଏତିକି ନୁହେଁ; ଏହି ହେଲିକପ୍ଟରରେ ଅସ୍ଥାୟୀ ଆଇସିିୟୁ ବ୍ୟବସ୍ଥା ରହିଛି, ଯାହା ଉଦ୍ଧାର ପରେ ଗୁରୁତର ଆହତଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ଆଶୁ ଚିକିତ୍ସା ପ୍ରଦାନ କରି ଜୀବନ ରକ୍ଷା କରିପାରିବ। ତଟ ସୁରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ। ଗତକାଲି ଭୁବନେଶ୍ୱର ସ୍ଥିତ ଭାରତୀୟ ତଟ ରକ୍ଷୀର ଆଇସିଜି ଏୟାର ଏନକ୍ଲେଭ୍‍ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ତଟ ରକ୍ଷୀ ମହାନିର୍ଦ୍ଦେଶକ ଭିଏସ୍‍ ପଠାନିଆ ଏହି ହେଲିକପ୍ଟରର ଲୋକାର୍ପଣ କରିଥିଲେ। ଭାରତ ସରକାର ୧୨ଟି ଏଏଲ୍‍ଏଚ୍‍ ହେଲିକପ୍ଟର ନିୟୋଜିତ କରିଥିବା ବେଳେ ସେଥି ମଧ୍ୟରୁ ଚାରିଟି କେବଳ ଭୁବନେଶ୍ୱରରେ ରହିବ। ଏଗୁଡ଼ିକ ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ତଟ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବହାର କରାଯିବ।ସୂଚନା ଅନୁଯାୟୀ, ହେଲିକପ୍ଟରରେ ଅତ୍ୟାଧୁନିକ ସେନ୍ସର ଲାଗିଛି ଯାହା ସମୁଦ୍ର ପଥରେ ଛୋଟ ଛୋଟ ଗତିବିଧିକୁ ଅନୁଧ୍ୟାନ କରିପାରିବ। ସେହିପରି ଏଥିରେ ଅଧିକ କ୍ଷମତାଯୁକ୍ତ ଶକ୍ତି ଇଞ୍ଜିନ୍‍, ଫୁଲ୍‍ ଗ୍ୟାସ୍‍ କକ୍‍ପିଟ୍‍, ଶକ୍ତିଶାଳୀ ସର୍ଚ୍ଚ ଲାଇଟ୍‍, ଟ୍ରାଫିକ୍‍ ଆଲର୍ଟ ବ୍ୟବସ୍ଥା ସହ ଦୁର୍ଘଟଣା ପ୍ରତିରୋଧୀ ବ୍ୟବସ୍ଥା, ଦକ୍ଷ ଯୋଗାଯୋଗ ବ୍ୟବସ୍ଥା, ସ୍ୱୟଞ୍ଚାଳିତ ଚିହ୍ନଟ ବ୍ୟବସ୍ଥା, ଉଦ୍ଧାର ଓ ସନ୍ଧାନ ବ୍ୟବସ୍ଥା ରହିଛି। ଏଥିରେ ମଧ୍ୟ ସ୍ୱୟଞ୍ଚାଳିତ ବିମାନ ନିୟନ୍ତ୍ରଣ ବ୍ୟବସ୍ଥା, ସର୍ଭିଲାନ୍ସ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଯନ୍ତ୍ରାଂଶ ଉପଲବ୍ଧ କରାଯାଇଛି। ଏସବୁ ବ୍ୟବସ୍ଥା ଜରିଆରେ ତଟ ରକ୍ଷୀ ଦଳ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖି ପାରିବେ। ଏହା ଦ୍ୱାରା ଦିନ ଏବଂ ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିବ। ଏଥିରେ ଶକ୍ତିଶାଳୀ ମେସିନ୍‍ ଗନ୍‍ ଲାଗିଛି।  ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ସମୁଦ୍ର ମଧ୍ୟରେ ଚଳନ୍ତି ଯୁଦ୍ଧ ଜାହାଜରେ ଏଏଲ୍‍ଏଚ୍‍ ହେଲିକପ୍ଟର ସଫଳ ଅବତରଣ ଏବଂ ଉଡ଼ାଣ କରାଯାଇଛି। ଭୁବନେଶ୍ୱରର ଭାରତୀୟ ତଟ ରକ୍ଷୀର ୮୩୦ ସ୍କ୍ୱାର୍ଡନ୍‍ର ପରିଚାଳନା ଦାୟିତ୍ୱ ଏହାର କମାଣ୍ଡାଣ୍ଟ ଅନୁରୂପ ସିଂହଙ୍କ ଉପରେ ଥିବା ବେଳେ ୧୧ ଜଣ ଅଧିକାରୀ ଏବଂ ୪୬ ଜଣ କର୍ମଚାରୀ ତାଙ୍କୁ ସହଯୋଗ କରୁଛନ୍ତି।

Spread the love