ବର୍ଣ୍ଣବୋଧ ଏକ ବିଜ୍ଞାନ ଏବଂ ଭାଷା ଏକ ଉତ୍ସବ

ଭୁବନେଶ୍ବର ୧୧।୦୪ : ବର୍ଣ୍ଣବୋଧ ଏକ ବିଜ୍ଞାନ। ବଡମାନଙ୍କ ପାଇଁ ବର୍ଣ୍ଣବୋଧଟିଏ ଲେଖାଯିବା ନିହାତି ଆବଶ୍ୟକ। ଯାହା ଆମକୁ ନିର୍ଭୁଲ ଉଚ୍ଚାରଣ ଶିଖେଇବା ସହିତ ଅକ୍ଷରକୁ ନେଇ ଉଠୁଥିବା ଅନେକ ଦ୍ବନ୍ଦର ସହଜ ସମାଧାନରେ ସହାୟକ ହେବ। ଏପ୍ରିଲ୍‌ର ଦ୍ୱିତୀୟ ରବିବାର ଅନୁଷ୍ଠିତ ମୈତ୍ରେୟୀ ଲେଖିକା ସଙ୍ଗଠନର ମାସିକ ଆଭାସୀ ଆସରରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏପରି ମତ ରଖିଛନ୍ତି ଭାଷା ଵିଶାରଦ ତଥା ଭେଷଜ ବିଶେଷଜ୍ଞ ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ ।

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ମୈତ୍ରେୟୀ ସ୍ବପ୍ନା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଭାଷା ଓ ସାହିତ୍ୟ ଉପରେ ବେଶ୍ ମତ ବିନିମୟ ହୋଇଥିଲା । ମୈତ୍ରେୟୀ ନିବେଦିତା ନନ୍ଦଙ୍କ ବନ୍ଦେ ଉତ୍କଳ ଜନନୀ ଗାନରୁ ଆରମ୍ଭ ହୋଇଥିଲା ସଭା । ସଭାପତି ସ୍ବପ୍ନା ବେହେରା ଭାଷା ଉପରେ ଆଲୋକପାତ କରି, ଭାଷା ଏକ ଉତ୍ସବ ଏହଂ ତାହାର ଭାବପ୍ରୀତି ଓ ସ୍ନେହଶ୍ରଦ୍ଧାରେ ଆମେ ସମସ୍ତେ ସଂଯୋଜିତ ବୋଲି ମତ ରଖିଥିଲେ ।”ମୋ ବର୍ଣ୍ଣବୋଧ” ବିଷୟବସ୍ତୁ ଉପରେ ସ୍ବରଚିତ ଗଳ୍ପ ଓ କବିତା ପାଠ କରିଥିଲେ ମୈତ୍ରେୟୀ ସୁଷମା ପରିଜା, ସୁଜାତା ମହାପାତ୍ର, ମାଧବୀ ପଟେଲ, ସସ୍ମିତା ମହାନ୍ତି, ମହାଶ୍ବେତା ପାଣିଗ୍ରାହୀ, ସୁସ୍ମିତା ପଟେଲ ଏବଂ ପଦ୍ମାଳୟା ମିଶ୍ର। ସେସବୁର ସମୀକ୍ଷା କରିଥିଲେ ବରିଷ୍ଠ କବି ସଙ୍ଘମିତ୍ରା ରାଏଗୁରୁ।

ଏଥରର ସୃଜନୀରେ ଗାଳ୍ପିକା ବିସ୍ମିତା ରାଣୀ ସାହୁଙ୍କର ଗଳ୍ପ ସଂକଳନ “ଉଇଁ ଆସୁଥିବା ଜହ୍ନ”ର ସମୀକ୍ଷା କରିଥିଲେ ଲେଖିକା ଯାଜ୍ଞସେନୀ ହୋତା ଓ ଅନିତା ପାଣି। ସଂଗଠନର ସମ୍ପାଦିକା ମୈତ୍ରେୟୀ ଲକ୍ଷ୍ମୀ ଚାନ୍ଦ ସାଙ୍ଗଠନୀକ ଅଭିମତ ରଖିଥିବାବେଳେ, କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ଭୂମିକା ତୁଲାଇଥିଲେ ମୈତ୍ରେୟୀ ମିତା ପଟ୍ଟନାୟକ ଓ ମୈତ୍ରେୟୀ ବିଶ୍ଵ ଭାରତୀ ଦାସ । ମୈତ୍ରେୟୀ ପ୍ରଭାତୀ ମଞ୍ଜରୀ ବେହେରାଙ୍କ ଧନ୍ୟବାଦ ଅର୍ପଣ ସହ ସଭା ଶେଷ ହୋଇଥିଲା ।

Spread the love