କାଲିଠୁ ଏକମାସ ଆରମ୍ଭ ବାବା ଆଖଣ୍ଡଳମଣିଙ୍କ ଶୀତଳ ଉପଚାର

ଭଦ୍ରକ:ଆସନ୍ତାକାଲି ମହାବିଶୁବ ସଂକ୍ରାନ୍ତି ।ଏହି ଅବସରରେ ଏକମାସ ଧରି ଆରମ୍ଭ ହେବ ବାବା ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି।ଏଥିପାଇଁ ପରମ୍ପରା ଅନୁଯାୟୀ ବିଭିନ୍ନ ନଦୀରୁ ଗୋପାଳଭକ୍ତମାନେ ଜଳ ଆଣି ସେବାୟତଙ୍କ ଦ୍ୱାରା ଲାଗି କରିବେ । ବିଗତ ୨ବର୍ଷ ହେବ କୋଭିଡ କଟକଣା ଯୋଗୁ ଗୋପାଳଭକ୍ତଙ୍କ ଜଳଲାଗି ବନ୍ଦ ରହିଥିଲା । ଏ ବର୍ଷ କଟକଣାକୁ କୋହଳ କରାଯାଇଥିବାରୁ ବିଭିନ୍ନ ପ୍ରାନ୍ତରରୁ ଭକ୍ତଙ୍କ ସହ ଗୋପାଳଭକ୍ତଙ୍କ ଭିଡ ପରିଲକ୍ଷିତ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ତାହାସହ ମନ୍ଦିରର ନୀତିକାନ୍ତି ନିମନ୍ତେ ଭୋର ୪ଟା ମଧ୍ୟରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ସକାଳ ୫ଟା୩୦ରୁ ୧୧ଟା ଯାଏଁ ଗୋପାଳଭକ୍ତଙ୍କ ଜଳଲାଗି କରାଯିବ । ପରେ ଅନ୍ୟାନ୍ୟ ନୀତି ସହ ଅପରାହ୍ଣରେ ବଡସିଂହାରବେଶ ଓ ସଂଧ୍ୟାରେ ଷୋଡଶ ଉପଚାରପୂଜା ସହ ଆଳତୀ ସମ୍ପନ୍ନ ହେବ।

Spread the love