ସେପ୍ଟେମ୍ବର ୧ରୁ ବିଜେପିର ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନଜାଗରଣ ଯାତ୍ରା ଆରମ୍ଭ : ଧର୍ମେନ୍ଦ୍ର ପ୍ରଧାନ

୩୭୦ ଧାରା ଉଚ୍ଛେଦ ବିଷୟରେ ଦେଶର ସମସ୍ତ ଲୋକଙ୍କୁ ଅବଗତ ଓ ସଚେତନତା  ନେଇ ଆସନ୍ତା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ  ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯିବ ବୋଲି ସୋମବାର ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶ୍ରୀ ପ୍ରଧାନ କହିଛନ୍ତି ଯେ ୩୭୦ ଧାରା ସମ୍ପର୍କରେ ସୂଚନା ଏବଂ ଧାରା ଉଚ୍ଛେଦ ପରବର୍ତୀ ପରିବର୍ତ୍ତନକୁ ଦେଶର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଚୂଡାନ୍ତ ବୈଠକରେ ଉପରୋକ୍ତ ନିଷ୍ପତି ନିଆଯାଇଛି । ଦଳର ଶୀର୍ଷ ନେତୃତ୍ୱ, କେନ୍ଦ୍ରରେ ବରିଷ୍ଠ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟର ବଡ ବଡ ନେତା ଏବଂ ଦଳର ରାଷ୍ଟ୍ରୀୟ ପଦାଧିକାରୀମାନେ ସମାଜର ପ୍ରମୁଖ ଲୋକ ଓ ପ୍ରବୃଦ୍ଧ ଲୋକଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବେ । ସେମାନଙ୍କୁ ୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ କଣ ଲାଭ ହୋଇଛି ଓ ସେଠାକାରବାସୀଙ୍କ ଜୀବନଶୈଳୀରେ କଣ ପରିବର୍ତନ ହୋଇଛି ଏ ବିଷୟରେ ଅବଗତ କରାଇବେ । ଜନଜାଗରଣ ଅଭିଯାନରେ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ୩୫ଟି ବଡ ଜନସଭା ଆୟୋଜନ କରାଯିବ ।

ଟାୟର ୧ ଏବଂ ଟାୟର ୨ରେ ୩୭୦ ପ୍ରମୁଖ ସହରରେ ଘର-ଘର ସମ୍ପର୍କ ଏବଂ ଜନସଭା,ରାଲି ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଧାରା ୩୭୦ ଦ୍ୱାରା ଦେଶ ଏବଂ ଜାମ୍ମୁ-କାଶ୍ମୀରକୁ ହେଉଥିବା କ୍ଷତି ଏବଂ ଉକ୍ତ ଧାରା ହଟିବା ପରେ ହେବାକୁ ଥିବା ଲାଭକୁ ଅବଗତ କରାଇବେ । ଜନ ଜାଗରଣ ଅଭିଯାନ ବେଳେ ଜାମ୍ମୁ କାଶ୍ମୀର ଏବଂ ଲଦାଖର ଉଧମପୁର, ଶ୍ରୀନଗର, ଅନନ୍ତନାଗ, ବାରାମୁଳା,  ସୋପେର, ଲେହ ଏବଂ କାରଗିଲରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସ୍ୱାଧୀନତା ପରେ ଦେଶର ଇତିହାସରେ ଅନେକ କମ୍ ସମୟ ଏପରି ଆସିଛି ଯେବେ ସାରା ଦେଶ ସବୁ ଭେଦଭାବକୁ ଭୁଲି ଯାଇ ଏକାଠି ହୋଇଛି ।

ବିଜେପିର ସବୁ ପୀଢିର ନେତା ଏହା ମାନି ଆସିଛନ୍ତି ଯେ ଅନୁଚ୍ଛେଦ ୩୭୦ ଦେଶ ଏକତାର ବିରୋଧରେ ଥିଲା । ୩୭୦ ଧାରା ଉଚ୍ଛେଦ ଐତିହାସିକ ଏବଂ ରାଷ୍ଟ୍ରୀୟ ଏକତା ପାଇଁ ଜରୁରୀ ନିର୍ଣ୍ଣୟ ଥିଲା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଧାରା ୩୭୦ ଉଚ୍ଛେଦ ହୋଇପାରିଛି ଏବଂ ଏତଦଦ୍ୱାରା ଏବେ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଭାରତ ସରକାରଙ୍କ ପ୍ରାୟ ସବୁ ଯୋଜନା ଲାଗୁ ହେବ । ଏଠାକାରବାସୀମାନେ ବିକାଶର ସମାନ ଅବସର ପ୍ରାପ୍ତ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ , ଜନସମ୍ପର୍କ ଅଭିଯାନର ଆୟୋଜନ କମିଟିର ଗଠନ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ରାଷ୍ଟ୍ରୀୟ ମହାସଚିବ  ମୂରଲୀଧର ରାଓଙ୍କ ନେତୃତ୍ୱରେ କରାଯାଇଛି । କମିଟିରେ ସଦସ୍ୟ ଭାବେ କେନ୍ଦ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ, ମୂରଲୀଧରନ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ  ରାଜବର୍ଦ୍ଧନ ସିଂହ ରାଠୋର ଏବଂ  ଗୌରବ ଭାଟିଆ ଅଛନ୍ତି ।

ସେହିପରି ଜନଜାଗରଣ ଅଭିଯାନର କାର୍ଯ୍ୟକୁ ତଦାରଖ ଦାୟିତ୍ୱ ଦଳ ପକ୍ଷରୁ ଜେନ୍ଦ୍ର ସିଂହଙ୍କୁ ନ୍ୟସ୍ତ କରାଯାଇଛି । ଶ୍ରୀ ସିଂହଙ୍କ ନେତୃତ୍ୱରେ ଗଠିତ ହୋଇଥିବା କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ଦଳର ରାଷ୍ଟ୍ରୀୟ ସଚିବ ଶ୍ରୀ ସତ୍ୟା କୁମାର ଏବଂ ଲେହର ଲୋକପ୍ରିୟ ସାଂସଦ  ଜାମୟାଙ୍ଗ ସୋରେଙ୍ଗ୍ ନାମମ୍ୟାଲ ଏବଂ ଯୁବ ସାଂସଦ  ତେଜସ୍ୱୀ ସୂର‌୍ୟା ଅଛନ୍ତି ।

Spread the love