ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କ ନିରନ୍ତର ସେବା ପାଇଁ ଦେଶର ଶ୍ରେଷ୍ଠ ହସ୍‍ପିଟାଲ୍‍ ତାଲିକାରେ କିମ୍‍ସ : ଡ. ଅଚ୍ୟୁତ ସାମନ୍ତ

ଦେଶର ଶ୍ରେଷ୍ଠ ହସ୍‍ପିଟାଲ୍‍ ମଧ୍ୟରେ କିମ୍‍ସ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି। ନିକଟରେ ବହୁଳ ପ୍ରସାରିତ ଇଂରାଜୀ ପତ୍ରିକା ଆଉଟ୍‍ଲୁକ୍‍ ଓ ଏନ୍‍ଇବି ରିସର୍ଚ୍ଚ ଦ୍ୱାରା ଦେଶର ବିଭିନ୍ନ ଖ୍ୟାତି ସମ୍ପନ୍ନ ହସପିଟାଲକୁ ନେଇ ଏକ ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗରେ ଦେଶର ଶ୍ରେଷ୍ଠ ୧୦ ହସ୍‍ପିଟାଲ୍‍ ମଧ୍ୟରେ କିମ୍‍ସ ସ୍ଥାନ ପାଇଛି। ଶ୍ରେଷ୍ଠ ମଲ୍‍ଟି ସ୍ପେସିଆଲିଟି ମେଡିକାଲ୍‍ ଫ୍ୟାସିଲିଟିରେ କିମ୍‍ସ ପୂର୍ବ ଭାରତରରେ ପଞ୍ଚମ ସ୍ଥାନ ବଜାୟ ରଖିଥିବା ବେଳେ କିମ୍‍ସର ଅସ୍ଥିଶଲ୍ୟ ବିଭାଗ ସର୍ବଭାରତୀୟସ୍ତରରେ ୬ଷ୍ଠ ସ୍ଥାନରେ ରହିଛି। ସେହିପରି ଶିଶୁ ରୋଗ ବିଭାଗ ନବମ ସ୍ଥାନରେ ରହିଥିବା ବେଳେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ସ୍ନାୟୁରୋଗ ବିଭାଗ ଦଶମ ସ୍ଥାନରେ ରହିଛି।

କିମ୍‍ସର ହୃଦ୍‍ରୋଗ ବିଭାଗ ମଧ୍ୟ ଏହି ରାଙ୍କିଂରେ ସମ୍ମାନଜନକ ସ୍ଥାନ ବଜାୟ ରଖିଛି। ୨୦୦୭ ମସିହାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଆରମ୍ଭ କରାଯାଇଥିବା କିମ୍‍ସ ଏବେ ଡାକ୍ତରୀ ଶିକ୍ଷା ସହ ଚିକିତ୍ସା ଓ ରୋଗୀସେବା କ୍ଷେତ୍ରରେ ଲୋକଙ୍କ ଆଦୃତ ଓ ଭରସା ଯୋଗ୍ୟ ହୋଇପାରିଛି। ଉତ୍କୃଷ୍ଟ ରୋଗୀ ସେବା ପାଇଁ ସମୟକୁ ସମୟ କିମ୍‍ସ ବିଭିନ୍ନ ରାଜ୍ୟ ଓ ଜାତୀୟସ୍ତରର ସମ୍ମାନ ଓ ପୁରସ୍କାର ଲାଭ କରିଆସୁଛି । ପୂର୍ବ ଭାରତରେ କିମ୍‍ସ ଆଜି ଏକ ସର୍ବବୃହତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନରେ ପରିଣତ ହୋଇପାରିଛି। ଏହି ସଫଳତାରେ ସନ୍ତୋଷ ପ୍ରକାଶ କରି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Spread the love