ଛୋଟ ଦେଶ ସହ ଚୁକ୍ତି କଲା ଚୀନ, ଉଡିଲା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଆମେରିକାର ନିଦ

ନୂଆଦିଲ୍ଲୀ ୨୦।୦୪: ଚୀନ ପ୍ରଶାନ୍ତ ମହାସାଗରର ଛୋଟ ଦ୍ଵୀପ ସୋଲୋମନ ସହ ବିବାଦୀୟ ସୁରକ୍ଷା ରାଜିନାମା ଉପରେ ସ୍ଵାକ୍ଷର କରିଛି। ଚୀନର ଏହି ରାଜିନାମା ପରଠୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଆମେରିକା ପରି ଦେଶଗୁଡିକର ନିଦ ହଜି ଯାଇଛି। ବିଶେଷଜ୍ଞଙ୍କ ମତରେ ଚୀନ ଏହି ଦ୍ଵୀପ ଉପରେ ନିଜର ମିଲିଟାରୀ ବେସ୍ ନିର୍ମାଣ କରିପାରେ। ସୋଲୋମନ ଦ୍ଵୀପର ଜନସଂଖ୍ୟା ହେଉଛି କେବଳ ସାତ ଲକ୍ଷ।

ସୋଲେମନ ଦ୍ଵୀପର ପ୍ରଧାନମନ୍ତ୍ରୀ ସୁରକ୍ଷା ରାଜିନାମାକୁ ନେଇ କହିଛନ୍ତି, ଏହା ଆମ କ୍ଷେତ୍ରର ଶାନ୍ତି ଏବଂ ସଦଭାବକୁ ପ୍ରଭାବିତ କରିବ ନାହିଁ। କିନ୍ତୁ ବିଶେଷଜ୍ଞ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ମାନିବାକୁ ପ୍ରସ୍ତୁତ  ନାହାନ୍ତି। ଏହି ମାମଲା ଉପରେ ନିକଟରୁ ନଜର ରଖୁଥିବା ବିଶେଷଜ୍ଞଙ୍କ ମତରେ ଚୀନର ଏହି ପଦକ୍ଷେପ ପୂରା ସୁରକ୍ଷା କ୍ଷେତ୍ରରେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରେ।

ରିପୋର୍ଟ ଅନୁଯାୟୀ, ସୋଲୋମନ ଦ୍ଵୀପକୁ ଯଥା ସମ୍ଭବ ସାହାଯ୍ୟ କରୁଥିବା ଅଷ୍ଟ୍ରେଲିଆ ଚୀନ ସହିତ ରାଜିନାମାକୁ ରୋକିବାକୁ ପୂରା ଉଦ୍ୟମ କରିଥିଲା। ମାତ୍ର ସୋଲୋମନ ଦ୍ଵୀପ ରାଜି ହୋଇନଥିଲା। ସୋଲୋମନ ଦ୍ଵୀପ କହିଛି, ଏହି ରାଜିନାମାରେ କ୍ଷେତ୍ରୀୟ ଶାନ୍ତିରେ କୌଣସି ବିଘ୍ନ ଘଟିବ ନାହିଁ। ଦେଶ ହିତ ପାଇଁ ଏହି ରାଜିନାମା ନିଆଯାଇଥିବା ସୋଲୋମନ ଦ୍ଵୀପର ପ୍ରଧାନମନ୍ତ୍ରୀ କହିଛନ୍ତି।

ରିପୋର୍ଟ ମୁତାବକ, ଏହି ରାଜିନାମା ପରେ ଚୀନ ନିଜର ଯୁଦ୍ଧ ଜାହାଜକୁ ସୋଲୋମନ ଦ୍ଵୀପରେ ମୁତୟନ କରିପାରେ। ଏହା ସହିତ ସୋଲୋମନ ଦ୍ଵୀପର ଶାନ୍ତି ଏବଂ ସାମାଜିକ ବ୍ୟବସ୍ଥାକୁ କାଏମ ରଖିବା ପାଇଁ ଚୀନ ନିଜର ସୁରକ୍ଷାବଳ ମଧ୍ୟ ପଠାଇ ପାରେ। ଏପରିକି କମ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ଵୀପରେ ଚୀନ ନିଜର ନୌସେନା ଆଡ୍ଡା ସ୍ଥାପନ କରିପାରେ। ଚୀନ ଏମିତି ଜିବୁତି ଦ୍ଵୀପରେ କରି ସାରିଛି। ତେଣୁ ଚୀନକୁ ସୋଲୋମନରେ ସୈନ୍ୟ ଆଡ୍ଡା ସ୍ଥାପନାରେ ସେତେଟା ସମସ୍ୟା ହେବ ନାହିଁ।

Spread the love