ଋଷଠୁ ଲୁଚିଲୁଚି ତେଲ କିଣୁଛନ୍ତି ୟୁରୋପୀୟ ଦେଶ

ନୂଆଦିଲ୍ଲୀ,୨୪/୦୪:  ଗୋଟିଏ ପଟେ ରୁଷକୁ ନାଲି ଆଖି ଦେଖାଉଛନ୍ତି ୟୁରୋପୀୟ ରାଷ୍ଟ୍ର । ଅନ୍ୟପଟେ ଲୁଚି ଲୁଚି ପ୍ରଚୁର ପରିମାଣରେ ରୁଷ ତେଲ ଶୋଷି ଚାଲିଛନ୍ତି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ବୃହତ୍‌ ମାତ୍ରାରେ ରୁଷ ତେଲ କିଣି ଚାଲିଛନ୍ତି ।

କିଛି ସପ୍ତାହ ହେବ ରୁଷ ତେଲ ରପ୍ତାନି ବଢ଼ାଇ ଦେଇଛି । ପ୍ରଶ୍ନ ଉଠୁଛି ତେଲ ଯାଉଛି କୋଉଠି? ସବୁଠାରୁ ଅଧିକ ତେଲ ଏକ ଅଜଣା ସ୍ଥାନକୁ ଯାଉଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି । ରୁଷର ବନ୍ଦରଗୁଡ଼ିକରୁ ୟୁରୋପୀୟ ସଂଘ ସଦସ୍ୟ ଦେଶଗୁଡ଼ିକୁ ଯାଉଥିବା ଅଶୋଧିତ ତେଲ ପରିମାଣରେ ବଡ଼ ବୃଦ୍ଧି ଦେଖାଦେଇଛି । ଏପ୍ରିଲ ମାସରେ ପ୍ରତି ଦିନ ପ୍ରାୟ ୧୬ ଲକ୍ଷ ବ୍ୟାରେଲ ତେଲ ଯାଉଛି, ଯାହା ମାର୍ଚ୍ଚରେ ୧୩ ଲକ୍ଷ ବ୍ୟାରେଲ ଥିଲା । ଏହି ତଥ୍ୟ ଟ୍ୟାଙ୍କରଟ୍ରାକର୍ସ ଡଟ୍‌ କମ୍‌ରୁ ଜଣାପଡ଼ିଛି । ଏଥିରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକୁ ଏବେ ବି ରୁଷରୁ ଅଶୋଧିତ ତୈଳ ଯୋଗାଣ ଜାରି ଅଛି । କିନ୍ତୁ କେଉଁ କେଉଁ ଦେଶକୁ ଯାଉଛି ତାହାକୁ ଟ୍ରାକ୍‌ କରିବା କଷ୍ଟକର ପାଲଟିଛି ।

କେବଳ ଏପ୍ରିଲ ମାସରେ ଏଯାବତ୍‌ ୧.୧୧ କୋଟି ବ୍ୟାରେଲ ଅଶୋଧିତ ତୈଳ ଅଣ-ଯୋଜନା ରୁଟ୍‌ରେ ଯାଇଛି । ଏକ ଅଜଣା ଜାଗାକୁ ରୁଷ ବନ୍ଦରରୁ ବୃହତ୍‌ ମାତ୍ରାରେ କଞ୍ଚାମାଲ ଯୋଗାଣ କରାଯାଉଛି, ଯାହା ଅନ୍ୟ କୌଣସି ଦେଶ ତୁଳନାରେ ଅତି ଅଧିକ । ଯଦି ରୁଷ-ୟୁକ୍ରେନ ଯୁଦ୍ଧ ପୂର୍ବର ସ୍ଥିତିକୁ ବିଚାର କରାଯାଏ, ତେବେ ଏହି ଅଜଣା ଜାଗାକୁ କମ୍‌ ପରିମାଣର ତେଲ ଯାଉଥିଲା । ୱାଲଷ୍ଟ୍ରିଟ୍‌ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ ଅନେକ ଦେଶରେ ଅଶୋଧିତ ତୈଳର ଆବଶ୍ୟକତା ରହିଛି, ଯାହାଦ୍ୱାରା ସେମାନେ ନିଜ ଦେଶରେ ଆର୍ଥିକ ଗତିବିଧିକୁ ଆରାମରେ ଚଳାଇପାରିବେ । ଏହାସତ୍ତେ୍ୱ କମ୍ପାନିଗୁଡ଼ିକ ସହ ଜଡ଼ିତ ମଧ୍ୟସ୍ଥମାନେ ଚାହାନ୍ତି ଏହି କାରବାର ଗୋପନୀୟ ରହୁ ।

ବିଶେଷଜ୍ଞ ଏବଂ ବ୍ୟବସାୟୀଙ୍କ ଅନୁସାରେ ଅଜଣା ଜାଗା ଅର୍ଥାତ ତେଲକୁ ରୁଷର ବନ୍ଦରରୁ ସମୁଦ୍ରକୁ ନିଆଯାଇ ମଝି ରାସ୍ତାରେ ଅନ୍‌ଲୋଡ୍‌ କରାଯାଉଛି । ଇରାନ ଏବଂ ଭେନେଜୁଏଲା ଭଳି ଦେଶଗୁଡ଼ିକ ତରଫରୁ ତେଲ ରପ୍ତାନି କରିବାର ଏହା ପୁରୁଣା ପଦ୍ଧତି । ରୁଷ ଅର୍ଥବ୍ୟବସ୍ଥାରେ ସବୁଠାରୁ ବଡ଼ ଯୋଗଦାନ ଦେଇଥାଏ ଅଶୋଧିତ ତୈଳ । ୟୁକ୍ରେନ ଉପରେ ହମ୍‌ଲା ପୂର୍ବରୁ ରୁଷରୁ ଯେପରି ତେଲ ବିକ୍ରି ହେଉଥିଲା ଏବେ ସେଭଳି ନାହିଁ । ତେଲ ବିକ୍ରି କରିବାରେ ଏହା ଅନେକ ସମସ୍ୟାର ସାମ୍ନା କରୁଛି । ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ରୁଷ ତେଲ ଉପରେ ବ୍ୟାନ୍‌ ଲଗାଇଛନ୍ତି ।  ୟୁରୋପୀୟ ସଂଘ ରୁଷ ତେଲ ଉପରେ ପ୍ରଚୁର ମାତ୍ରାରେ ନିର୍ଭରଶୀଳ । ଏହା ରୁଷରୁ ପାଖାପାଖି ୨୭% ତେଲ ଆମଦାନି କରିଥାଏ ।

Spread the love