ଓଡ଼ିଆ ଆଇଏଏସ ପାଇଲେ ପ୍ରଧାନମନ୍ତ୍ରୀଙ୍କଠୁ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା କ୍ୟାଡ଼ର ଆଇଏଏସ ଉଷା ପାଢ଼ୀ ଜଣେ ଦକ୍ଷ ପ୍ରଶାସିକା ଭାବେ ବେଶ ପରିଚିତ। ଶ୍ରୀମତୀ ପାଢ଼ୀଙ୍କୁ ୧୫ତମ ସିଭିଲ ସର୍ଭିସେସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା -୨୦୨୦ ପୁରସ୍କାର ମିଳିଛି । ତାଙ୍କ ଦକ୍ଷତାର ନିଦର୍ଶନ ଦିଲ୍ଲୀରେ ବି ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷା ପାଢ଼ୀ ଏବେ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଛନ୍ତି ।

ଉଡ଼ାନ ଯୋଜନାର ସଫଳତା ପାଇଁ ଉଷା ପାଢ଼ୀଙ୍କୁ ଏହି ପୁରସ୍କାର ମିଳିଛି । ଏହି ଅବସରରେ ଉଡ଼ାନ ଟିମର ସମସ୍ତ ସଦସ୍ୟଙ୍କୁ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୁରସ୍କୃତ କରିଛନ୍ତି । ୨୦୧୬ରେ ଉଡ଼ାନ ଯୋଜନା ଆରମ୍ଭ ହୋଇଥିବାବେଳେ ୯୨ ଲକ୍ଷ ଲୋକ ଉପକୃତ ହୋଇଛନ୍ତି। ୧୯୯୬ ବ୍ୟାଚ ଆଇଏଏସ ଉଷା ପାଢ଼ୀ ୨୦୧୫ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟିର ପ୍ରଥମ ମହିଳା ଡିଜି ହେବାର ସେ ସୌଭାଗ୍ୟ ପାଇଛନ୍ତି । ତାଙ୍କ ପତି ତଥା ଓଡ଼ିଶା କ୍ୟାଡ଼ର ଆଇଏଏସ ଅରବିନ୍ଦ ପାଢ଼ୀ ମଧ୍ୟ ଜଣେ ଶ୍ରେଷ୍ଠ ପ୍ରଶାସକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ଉଷା ପାଢ଼ୀ ଓଡ଼ିଶାରେ ଥିବାବେଳେ ବହୁ ନୂତନ ପଦକ୍ଷେପ ନେଇ ଚର୍ଚ୍ଚା ସୃଷ୍ଟି କରିଥିଲେ ।

Spread the love