କୋଟିପତି ଗ୍ରାମ ରୋଜଗାର ସେବକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୨୫/୦୪: ରାଜଧାନୀରେ କୋଟିପତି ଗ୍ରାମ ରୋଜଗାର ସେବକ ଘରେ ଭିଜିଲାନ୍ସ ଚଢ଼ାଉ । ଚଢ଼ାଉ ବେଳେ କୋଟି କୋଟି ଟଙ୍କାର ସମ୍ପତି ଠାବ କରିଛି ଭିଜିଲାନ୍ସ । କୋଟିପତି ଜି ଆର ଏସ ହେଉଛନ୍ତି ବାବୁଲି ଚରଣ ପଢ଼ିଆରୀ । ଖୋର୍ଦ୍ଧା କଳାରାହାଙ୍ଗ ଗ୍ରାମ ପଂଚାୟତରେ ଜିଆରଏସ ଭାବେ କାମ କରୁଛନ୍ତି । ଦରମା ୭ ହଜାର ୩୦୦ ଟଙ୍କା । କାମ ଏମଜିଏନଆରଇଜିଏରେ ୱର୍କ ଡିମାଣ୍ଡ କରିବା । ଶ୍ରମିକଙ୍କ ଜବ କାର୍ଡ ଏଣ୍ଟ୍ରି କରିବା ।  ତେବେ ଆଜି ସକାଳୁ ନନ୍ଦନକାନନ ପାଖ ରଘୁନାଥପୁର ବାସଭବନ ସମେତ ଏକା ବେଳକେ ୬ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।

ଚଢ଼ାଉ ବେଳେ ବାବୁଲିଙ୍କ ନାମରେ ୫୯ ଟି ପ୍ଲଟ, ସୁନା ରୂପା ଗହଣା, ବ୍ୟାଙ୍କ ବାଲାନ୍ସ, ଇନ୍‌ସ୍ୟୁରାନ୍ସ ପଲିସି କରି ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ସମସ୍ତ ୫୯ଟି ପ୍ଲଟ ଭୁବନେଶ୍ୱରର ପ୍ରାଇମ୍ ଲୋକେଶନରେ ରହିଛି । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ । ତେବେ ରଘୁନାଥପୁର ତିନି ମହଲା ଘରରେ ଚଢାଉ ବେଳେ ସେ ଘରର ମୂଲ୍ୟ କୋଟିଏ ୨୪ ଲକ୍ଷ ବୋଲି ଜଣାପଡିଛି । ଏହାଛଡା ୫୯ ପ୍ଲଟ ଭିତରେ ଭୁବନେଶ୍ୱର ଦାଢାରେ ଗୋଟିଏ ଆପାର୍ଟମେଣଟ, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟରେ ଦୁଇ ମହଲା ଘର ଓ କଟକ ବେଲଗାଚିଆରେ ଗୋଟିଏ ପ୍ଲଟ ରହିଛି । ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାବୁଲି ଚନ୍ଦ୍ର ପଢିଆରୀ ।

ବାବୁଲିଙ୍କ ତିନି ମହଲା ଘର ସମ୍ଭ୍ରାନ୍ତ ଶ୍ରେଣୀୟ ଭଳି ଲାଗୁଛି । ଇଣ୍ଟେରିୟର ଡିଜାଇନ୍ ପାଇଁ ବହୁ ଖର୍ଚ୍ଚ କରିଥିବା ଭଳି ଜଣାପଡ଼ୁଛି । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବେ ନିଶ୍ଚୟ । ଘରର କବାଟ, ସିଲିଂ ମଧ୍ୟ ବ୍ୟୟ ବହୁଳ ।  ବାବୁଲିଙ୍କ ମତରେ ଏ ସବୁ ହେଉଛି ତାଙ୍କ ପୈତୃକ ସଂପତ୍ତି । ତାଙ୍କ ବାପାଙ୍କ ଦେହାନ୍ତ ହୋଇସାରିଥିବା ବେଳେ ଏବେ ସେସବୁ ସମ୍ପତିର ମାଲିକ ବୋଲି ସେ ଦାବି କରିଛନ୍ତି । ଜଣେ ଜିଆରଏସ ଭାବେ ଲେବର୍ କାର୍ଡ ଏଣ୍ଟ୍ରି କରିବା ହେଉଛି ମୂଖ୍ୟ କାମ । କେଉଁ ଲେବର କେତେଦିନ କାମ କଲେ ଓ କେତେ ଟଙ୍କା ପାରିଶ୍ରମିକ ପାଇବେ ତାର ଏକ ମଷ୍ଟର ରୋଲ ତିଆରି କରି କାମ କରୁଥିବା ଠିକାଦାରକୁ ଟଙ୍କା ପ୍ରଦାନ କରିବା ଓ ବିଡ଼ିଓଙ୍କୁ ହିସାବ ଦେବା ହେଉଛି ପ୍ରମୁଖ କାମ ।  ତେବେ ଏହି କାମରୁ ଏତେ ଟଙ୍କା ଆୟ କେମିତି କଲେ ସେ ନେଇ ପ୍ରଶ୍ନ ଉଠିଛି ।

Spread the love