ଘର ଦ୍ୱାରରେ ଶୁଭ କଳସ ରଖୁଛନ୍ତି କି ? ଜାଣନ୍ତୁ ନିୟମ

କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକି ଗଲେ କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ କଳସ ରଖିଥାନ୍ତି। ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା ନିୟମ ରହିଛି, ଯେମିତିକି:

-ମୁଖ୍ୟ ଦ୍ୱାରର ବାମପଟେ ଶୁଭ କଳସ ରଖିବା ଅତ୍ୟନ୍ତ ଭଲ ହୋଇଥାଏ। ଆବଶ୍ୟକ ସ୍ଥଳେ ଆପଣ ଚାହିଁଲେ ଏହାକୁ ଡାହାଣ ପଟେ କିମ୍ବା ଦ୍ୱାରର ସମ୍ମୁଖ ଭାଗରେ ମଧ୍ୟ ରଖିପାରିବେ। କିନ୍ତୁ ସମ୍ମୁଖରେ ରଖିଲେ ଭୁଲ୍‌ରେ କାହାର ଗୋଡ ବାଜିଯିବାର ସମ୍ଭାବନା ଥାଏ। ତେଣୁ ନିଜର ସୁବିଧା ଅନୁଯାୟୀ ଶୁଭ କଳସକୁ ଦ୍ୱାରର ଯେଉଁଠି ଚାହିଁବେ ସେଠି ରଖିପାରିବେ। କିନ୍ତୁ ଧ୍ୟାନ ଦେବେ ଘରକୁ ଯିବାଆସିବା ସମୟରେ ଯେମିତି ଶୁଭକଳସ ଉପରେ ସମସ୍ତଙ୍କର ନଜର ପଡିପାରୁଥିବ।

-ଯଦି ଆପଣଙ୍କ ମୁଖ୍ୟ ଦ୍ୱାରର କାନ୍ଥକୁ ଲାଗି ଚଉରା ରହିଛି, ତା’ହେଲେ ଉକ୍ତ ଚଉରାର ମଣ୍ଡପ ଉପରେ ଆପଣ ଏହି ଶୁଭ କଳସକୁ ମଧ୍ୟ ରଖିପାରିବେ।

-ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନସାରି ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ଘ୍ୟ ଦେବେ, ତା’ପରେ ମା’ ବୃନ୍ଦାବତୀଙ୍କୁ ପୂଜା କରିବେ। ଆଉ ତା’ପରେ ମୁଖ୍ୟ ଦ୍ୱାର ନିକଟରେ ଶୁଭ କଳସକୁ ସ୍ଥାପନା କରି ଘର ଠାକୁରଙ୍କୁ ପୂଜା କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

-ଯଦି ସୂର୍ଯ୍ୟୋଦୟ ପୂର୍ବରୁ ଶୁଭ କଳସ ବସାଇବା ସମ୍ଭବ ହେଉନାହିଁ ତା’ହେଲେ ସକାଳର ପ୍ରଥମ ପ୍ରହର ଅର୍ଥାତ୍‌ ସକାଳ ୯ଟା ଭିତରେ ଶୁଭ କଳସ ବସାଇବା ନିହାତି ଆବଶ୍ୟକ।

-ଶୁଭ କଳସର ପାଣି ବାସି ହେବା ଠିକ୍‌ ନୁହେଁ ଅର୍ଥାତ୍‌ ସକାଳେ ଯେଉଁ ଶୁଭ କଳସ ବସାଇଥିବେ ସୂର୍ଯ୍ୟାସ୍ତ ପୂର୍ବରୁ ସେହି କଳସର ପାଣିକୁ କୌଣସି ଗଛ ମୂଳରେ ଢାଳିଦେବେ। ପୂର୍ନଃବାର ତା’ପରଦିନ ଶୁଦ୍ଧ ଜଳରେ ପୁଣି ଶୁଭ କଳସ ବସାଇବେ।

Spread the love