କୋଟିଏ ସଭ୍ୟ କରିବ ବିଜେଡ଼ି

ଆସନ୍ତାକାଲିଠାରୁ ନୂଆ ତରିକାରେ ଦଳୀୟ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ବିଜେଡ଼ିରେ ଏବେ ୪୭ ଲକ୍ଷ ସଭ୍ୟ ଥିବା ବେଳେ ଏଥର ତାହା ଡବଲ୍ କରିବାକୁ ଯୋଜନା କରାଯାଇଛି । ସାଂଗଠନିକ କାର୍ଯ୍ୟକ୍ରମ ତଥା ଦଳୀୟ ସଭ୍ୟ ସଂଗ୍ରହରେ ପ୍ରଥମ ଥର ପାଇଁ ହାଇ ଟେକନୋଲୋଜିର ଉପଯୋଗ କରାଯିବ । ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ୍ କରାଯାଇ ଦଳୀୟ ୱେବସାଇଟ୍ ରେ ନାଁ ଉପଲବ୍ଧ ହେବ । ଲୋକେ ସରକାରୀ ଯୋଜନାରୁ କିଭଳି ଲାଭ ପାଇବେ ତାହା ସୁନିଶ୍ଚିତ କରିବାକୁଏହି ବ୍ୟବସ୍ଥା ହେଉଥିବା ଦଳୀୟ ସୂତ୍ରରୁ କୁହାଯାଇଛି ।
ବିଜେଡ଼ି ପଞ୍ଚମ ପାଳିର ପ୍ରଥମ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ଏହାର ରୋଡମ୍ୟାପ୍ ଚୂଡ଼ାନ୍ତ ହୋଇଛି । ଯୋଜନା ଅନୁଯାୟୀ, ପ୍ରତି ୱାର୍ଡରୁ ୪ ଜଣ, ଏନଏସିରୁ ୫ ଜଣ, ମ୍ୟୁନିସିପାଲିଟିରୁ ୧୫ ଜଣ ଏବଂ ମହାନଗର ନିଗମରୁ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ଏହି ସକ୍ରିୟ ସଦସ୍ୟମାନେ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ ।
ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଉଦବୋଧନ ନେଇ ଏହି କାର୍ଯ୍ୟକ୍ରମକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ବୈଠକରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ସାଥୀରେ ଧରି ପ୍ରତି ଘରେ ପହଞ୍ଚି ଦଳର ବାର୍ତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ୧୫ ଦିନରେ ସଭ୍ୟ ସଂଗ୍ରହ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ନିଜେ ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ଗୁରୁମନ୍ତ୍ର: ସାଧାରଣ ଲୋକଙ୍କୁ ହକ୍ ଦିଅ, ତାଙ୍କ ମୁହଁରେ ହସ ଫୁଟାଅ’

‘ଓଡ଼ିଶାର ସାଢ଼େ ଚାରି କୋଟି ଜନତା ବିଜୁ ଜନତା ଦଳକୁ ଯେଭଳି ଭାବରେ ଆଶୀର୍ବାଦ କରିଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁଁ ଦଳ ତାର ବିଜୟ ଧାରା ଜାରି ରଖିଛି । ସେଥିପାଇଁ ଆମର ସମସ୍ତ କର୍ମୀ ଏବଂ ସେମାନଙ୍କ ପରିବାରକୁ ମୁଁ କୃତଜ୍ଞତା ଜଣାଉଛି ।’
ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଆଜି ଏହା କହିଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ନେତା ଓ କର୍ମୀମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇ ୫-ଟି ମନ୍ତ୍ର ଧରାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣ ଲୋକ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ର ବିନ୍ଦୁ । ସାଧାରଣ ଲୋକଙ୍କୁ ତାର ହକ୍ ଦେବା ପାଇଁ ଆମର ୫-ଟି ମନ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୁଁ ଆଶା କରୁଛି, ସାଧାରଣ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆପଣମାନେ ସମସ୍ତେ ପରିବର୍ତ୍ତନର ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତୁ । ଆମର ଆଭିମୁଖ୍ୟ ଓ କାର୍ଯ୍ୟଶୈଳୀରେ ଅଙ୍ଗୀକାରବୋଧତା ରହୁ ।
ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ଆଦର୍ଶ ଓ ବିଚାରଧାରା ସମ୍ପର୍କରେ ଦଳୀୟ ନେତାଙ୍କୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଗାନ୍ଧିଜୀଙ୍କ ଆଦର୍ଶ ଓ ବିଚାରାଧାରର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି । ଗାନ୍ଧିଜୀଙ୍କ ମୂଲ୍ୟବୋଧ ଓ ଦର୍ଶନର ପ୍ରଚାର ପାଇଁ ବିଭିନ୍ନ ଗାନ୍ଧିବାଦୀ ଅନୁଷ୍ଠାନ ସହ ମିଶି କାର୍ଯ୍ୟ କରିବାକୁ ସହଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିଭଳି ବିଜେଡ଼ିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
Spread the love