ଆଉଟଡୋର ଅପେକ୍ଷା ଇନଡୋରରେ ସଂକ୍ରମଣ ଭୟ ଅଧିକ : ଅଧ୍ୟୟନ

ମୋହାଲୀ ୪।୫: ଦେଶରେ ପୁଣି କରୋନା ଭାଇରସ ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି। ରାଜଧାନୀ ଦିଲ୍ଲୀ ସଂକ୍ରମଣରେ ନିତି ନୂଆ ନୂଆ ରେକର୍ଡ କରୁଛି। ଦେଶର ଅନ୍ୟ ଅଞ୍ଚଳରେ ବି ସଂକ୍ରମଣ ବଢିବାରେ ଲାଗିଛି। ଏଥିରେ ଏକ ବୈଜ୍ଞାନିକ ଅଧ୍ୟୟନରୁ ନୂଆ ତଥ୍ୟ ମିଳିଛି। କରୋନା ଭାଇରସ ପବନରେ ବି ବ୍ୟାପୁଥିବାର ସ୍ପଷ୍ଟ ହୋଇଯାଇଛି।  କରୋନା ଭାଇରସ ପବନରେ ବ୍ୟାପି ପାରେ କି ନା ସେ ନେଇ ଏବେବି ଭିନ୍ନ ମତ ରହିଛି।  ହେଲେ ନୂଆ ଅଧ୍ୟୟନରୁ ଏ ନେଇ ଥିବା ମତପାର୍ଥକ୍ୟ ଦୂର କରିଛି।

କେବଳ ଏତିକି ନୁହେଁ ଏହି ଅଧ୍ୟୟନରୁ ଆଉଟଡୋର ବଦଳେ ଇନଡୋରରେ ବାୟୁ ଯୋଗୁ  କୋରନା ଅଧିକ ବ୍ୟାପୁଥିବା କୁହାଯାଇଛି। ଅର୍ଥାତ ଅଫିସ, ସ୍କୁଲ ଅଥବା କୌଣସି ଆବଦ୍ଧ ସ୍ଥାନରେ ବେଶି ଚଳପ୍ରଚଳ ହେଉଥିଲେ ଏଠାରେ ମାସ୍କର ଉପଯୋଗ ଜରୁରି ବୋଲି ପ୍ରମାଣିତ ହେଉଛି। ପବନରେ କରୋନା ବ୍ୟାପୁଛି କି ନା ଏହାର ଅଧ୍ୟୟନ ହାଇଦ୍ରାବାଦସ୍ଥିତ ସେଣ୍ଟର ଫର ସେଲ୍ୟୁଲାର ଏଣ୍ଡ ମଲିକ୍ୟୁଲର ବାୟୋଲଜି ଓ ଚଣ୍ଡିଗଡ଼ସ୍ଥିତ ଆଇଏମ ଟେକ୍ ମିଳିତ ଅଧ୍ୟୟନ କରିଛନ୍ତି।

ଏହି ଅଧ୍ୟୟନରୁ ଯେଉଁ ଦେଶମାନଙ୍କରେ ମାସ୍କକୁ କଡ଼ାକଡ଼ି ପାଳନ କରାଯାଇଛି ସେହି ସବୁ ଦେଶମାନଙ୍କରେ ସଂକ୍ରମଣ କମ ହୋଇଛି ବୋଲି କୁହାଯାଇଛି। ଏହି ଅଧ୍ୟୟନ ରିପୋର୍ଟ ଏରୋସୋଲ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ମଧ୍ୟ ହୋଇଛି। ଏହି ଅଧ୍ୟୟନ ଲାଗି ବୈଜ୍ଞାନିକମାନେ ସେହି ସବୁ ହସ୍ପିଟାଲର ବାୟୁ ନମୁନା ସଂଗ୍ରହ କରିଥିଲେ ଯେଉଁଠି ବହୁ ସଂଖ୍ୟାରେ କରୋନା ସଂକ୍ରମିତ ରହି ଚିକିତ୍ସିତ ହେଉଥିଲେ। ସେହିପରି କରୋନା ସଂକ୍ରମିତ ସମୟ କଟାଇଥିବା ଅବରୁଦ୍ଧ ଘରର ବାୟୁନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା।  ଏହା ଛଡା କ୍ୱାରେଣ୍ଟାଇନରେ ରହୁଥିବା ସଂକ୍ରମିତଙ୍କ ଅଞ୍ଚଳର ବାୟୁ ନମୁନା ସଂଗ୍ରହ କରି ଏକତ୍ର ପରୀକ୍ଷଣ କରାଯାଇଥିଲା।

ଏଥିରୁ କରୋନା ଭାଇରସ ବାୟୁରେ ମଧ୍ୟ ବ୍ୟାପୁଥିବାର ପ୍ରମାଣିତ ହୋଇଛି। ଏହି ଷ୍ଟଡିରୁ ଆଉଟଡୋର ତୁଳନାରେ ଇନଡୋର ବାୟୁରେ ଭୂତାଣୁ ବେଶ୍ ସମୟ ଭାସି ବୁଲୁଥିବା ମଧ୍ୟ ସ୍ପଷ୍ଟ ହୋଇଯାଇଛି। କାରଣ ବନ୍ଦ କୋଠରୀରେ ବାୟୁ ଚଳାଚଳର ସୁଗମତା ନଥାଏ ଏଣୁ ଏହି ସବୁ ସ୍ଥାନରେ କରୋନାରୁ ବର୍ତ୍ତିବା ଲାଗି ମାସ୍କ ଲଗାଇବା ଜରୁରି। ଏପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ କରୋନା ଭାଇରସ ପୃଷ୍ଠ ପାଇଲେ ସେଥିରେ ଜମି ଯାଏ ଓ ସୁବିଧାରେ ବ୍ୟାପିଥାଏ। ଏଣୁ ବାରମ୍ବାର ହାତ ଧୋଇବା କଥା କୁହାଯାଉଥିଲା। ହେଲେ ଏବେ ଅଧ୍ୟୟନରୁ ଏହା ପୃଷ୍ଠ ଦ୍ୱାରା ବ୍ୟାପୁଥିଲେ ବି ବାୟୁରେ ବେଶି ମାତ୍ରାରେ ଭାସି ବୁଲିଥାଏ ବୋଲି ସ୍ପଷ୍ଟ ହୋଯାଇଛି।

ଏଣୁ ଟାଟା ଇନିଷ୍ଟିଚ୍ୟୁଟ୍ ଫର ଜେନେଟିକ୍ସ ଏଣ୍ଡ ସୋସାଇଟିର ବୈଜ୍ଞାନିକ ରାକେଶ ମିଶ୍ର ସବୁକିଛି ସ୍ୱଭାବିକ ହୋଇ ଆସୁଥିବା ବେଳେ କ୍ଲାସ ରୁମ ଓ ମିଟିଂ ହଲ ଭଳି ସ୍ଥାନମାନଙ୍କରେ ଏୟାର ସର୍ଭିଲାନ୍ସ ଜରୁରି ବୋଲି କହିଛନ୍ତି। ଏହା ଦ୍ୱାରା ସଂକ୍ରମଣକୁ ନିୟନ୍ତ୍ରିତ କରିବାରେ ସହାୟତା ମିଳିବ ବୋଲି ସେ କହିଛନ୍ତି। ତେବେ ଏହି ସର୍ଭିଲାନ୍ସ ଟେକ୍ନୋଲଜି କେବଳ କରୋନା ଭାଇରସ ନୁହେଁ ବାୟୁ ଦ୍ୱାରା ସଂକ୍ରମିତ ହେଉଥିବା ଅନ୍ୟ ସଂକ୍ରମଣ ଉପରେ ମଧ୍ୟ ନଜର ରଖା ଯାଇପାରିବ।

Spread the love