ସ୍ଥଗିତ ହେଲା ଏସିଆନ୍ ଗେମ୍ସ

ନୂଆଦିଲ୍ଲୀ: ଚୀନରେ କୋଭିଡ-୧୯ ସଂକ୍ରମଣ ବଢ଼ିବାରୁ ଚଳିତ ବର୍ଷର ଏସିଆନ୍ ଗେମ୍ସ ସ୍ଥଗିତ ହୋଇଛି ଏବଂ ଏହି ନିଷ୍ପତ୍ତି ଅଲିମ୍ପିକ୍ କାଉନସିଲ ଅଫ୍ ଏସିଆ ପକ୍ଷରୁ ନିଆଯାଇଛି । ୨୦୨୨ର ଏସିଆନ୍ ଗେମ୍ସ ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା ।

୧୯ତମ ଏସିଆନ୍ ଗେମ୍ସରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ଏସୀୟ ରାଷ୍ଟ୍ରମାନଙ୍କରୁ ପାଖାପାଖି ୧୦ ହଜାର ଆଥଲେଟ୍ସ ହାଙ୍ଗଝୁରେ ପହଞ୍ଚି ସାରିଥିଲେ । ଏହି ପ୍ରତିଯୋଗୀମାନେ ୪୦ରୁ ଅଧିକ ଇଭେଷ୍ଟରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ କୋଭିଡ୍ କାରଣରୁ ଏହି ବୃହତ ଇଭେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ କୋଭିଡ୍ ସଂକ୍ରମଣ କାରଣରୁ ଶଙ୍ଘାଇ ସହରର ୨.୫ କୋଟି ଲୋକଙ୍କୁ ଲକଲାଡନରେ ଘରେ ରହିବାକୁ କୁହାଯାଇଥିଲା । ସହରର ଅଧିକାଂଶ ସ୍ଥାନରେ କଟକଣା ଲାଗୁ କରାଯାଇଥିଲା । ପୂର୍ବ ଚୀନର ୧.୨ କୋଟି ଜନସଂଖ୍ୟା ବିଶିଷ୍ଟ ସହର ହାଙ୍ଗଝୁ ଏସିଆନ୍ ଗେମ୍ସର ଆୟୋଜନ ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଏସିଆନ୍ ଗେମ୍ସ ଓ ଏସିଆନ୍ ପାରା ଗେମ୍ସ ପରି ବୃହତ ଇଭେଣ୍ଟର ଆୟୋଜନ ସକାଶେ ସହରରେ ୫୬ଟି ପ୍ରତିଯୋଗିତା ସ୍ଥାନ ନିର୍ମାଣ କରାଯାଇଥିଲା ।

Spread the love