ବାୟୁ ପ୍ରଦୂଷଣ ହୋଇପାରେ ହୃଦଘାତର କାରଣ

ନୂଆଦିଲ୍ଲୀ: ଦିନକୁ ଦିନ ଯାନବାହନ ବୃଦ୍ଧି ସହ କଳକାରଖାନାର ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ବାୟୁ ପ୍ରଦୂଷଣ ଉତ୍କଟ ହେବାରେ ଲାଗିଛି। ଶୀତ ଦିନ ଆସିଲେ ଭାରତର ଅନେକ ରାଜ୍ୟରେ ବାୟୁର ମାନ ତଳକୁ ଖସିଆସୁଥିବା ସହ ଲୋକଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ। ବିଶେଷ କରି ଦିଲ୍ଲୀରେ ବାୟୁର ମାନ ଖୁବ ତଳକୁ ଖସି ଆସେ। ଅନେକ ଥର ଏନେଇ ଲୋକଙ୍କୁ ସତର୍କ କରାଯାଉଥିଲେ ବି ବାୟୁ ପ୍ରଦୂଷଣକୁ ରୋକିବାରେ ସରକାର ସଫଳ ହୋଇପାରିନାହାନ୍ତି। ଏଭଳି ସମୟରେ ବାୟୁ ପ୍ରଦୂଷଣକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାୟୁ ଗୁଣବତ୍ତା ନିର୍ଦ୍ଦେଶାବଳୀ ତଳେ ଥିବା ବାୟୁ ପ୍ରଦୂଷକ ସଂସ୍ପର୍ଶରେ ଆସିବାର କିଛି ଘଣ୍ଟା ମଧ୍ୟରେ ହୃଦଘାତ ହୋଇପାରେ। ଚାଇନାରେ କରାଯାଇଥିବା ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପାଗ ଥଣ୍ଡା ଥିବା ବେଳେ ଅଧ୍ୟୟନ କରାଯାଇଥିଲା ଏବଂ ବୟସ୍କ ଲୋକ ଏହା ଦ୍ବାରା ଅଧିକ ପ୍ରଭାବିତ ହୋଇଥିଲେ। ବାୟୁ ଗୁଣବତ୍ତା ନିର୍ଦ୍ଦେଶାବଳୀ ତଳେ ଥିବା ବାୟୁ ପ୍ରଦୂଷକ ସଂସ୍ପର୍ଶରେ ଆସି ଅନେକ ବୟସ୍କ ଲୋକଙ୍କ ହୃଦଘାତ ହୋଇଥିବା ଦେଖାଯାଇଛି।ଅଧ୍ୟୟନରୁ ଜଣାପଡିଛି ଯେ ଚାରୋଟି ସାଧାରଣ ବାୟୁ ପ୍ରଦୂଷକର ଯେକୌଣସି ସ୍ତରର ସଂସ୍ପର୍ଶରେ ଆସିବା ମାତ୍ରେ ଆକ୍ୟୁଟ କରୋନାରୀ ସିଣ୍ଡ୍ରୋମ (ଏସିଏସ) ହୋଇଥାଏ, ଯାହା ଦ୍ବାରା ହୃଦୟର ମାଂସପେଶୀକୁ ରକ୍ତ ଯୋଗାଣ ହୋଇପାରିନଥାଏ। ଏଭଳି ହେବା ଦ୍ବାରା ଜଣେ ଲୋକ ହୃଦଘାତର ଶିକାର ହୋଇଥାଏ। ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବିଶେଷ କରି ପାଗ ଥଣ୍ଡା ରହିଲେ ବୟସ୍କ ଲୋକମାନେ ଏହାର ଅଧିକ ଶିକାର ହୋଇଥାନ୍ତି। ଧୂମପାନ କରୁନଥିବା କିମ୍ବା ଅନ୍ୟାନ୍ୟ ଶ୍ବାସକ୍ରିୟା ରୋଗର ପୀଡ଼ିତ ନଥାଇ ବି ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବାୟୁ ପ୍ରଦୂଷଣ ପାଇଁ ହୃଦଘାତର ଶିକାର ହେଉଥିବା ଦେଖାଯାଇଥିଲା।

Spread the love