ଆଉ ନାହାଁନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଆଣ୍ଡ୍ର୍ୟୁ ସାଇମଣ୍ଡସ୍

ନୂଆଦିଲ୍ଲୀ, ୧୫|୦୫: ଆଉ ନାହାଁନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ।  ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ସାଇମଣ୍ଡସଙ୍କ ମୃତ୍ୟୁକୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

କ୍ରୀଡ଼ା ଜଗତ ପାଇଁ ପୁଣି ଥର ବଡ଼ ଦୁଃଖଦ ଖବର ଆସିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ । ସାଇମଣ୍ଡ ଶନିବାର ରାତିରେ କୁଇନ୍ସଲାଣ୍ଡ ଟାଉନ୍ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା।

ପୋଲିସର କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ପୂର୍ବତନ କ୍ରିକେଟରଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିଲା । ସାଇମଣ୍ଡଙ୍କ ଦେହାନ୍ତ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା ।

କୁଇନ୍ସଲ୍ୟାଣ୍ଡ ପୋଲିସ କହିଛି ଯେ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ସାଇମଣ୍ଡ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଆଣ୍ଡ୍ରୁ ସାଇମଣ୍ଡ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୨ଟି ଟି-୨୦ ମ୍ୟାଚ ଖେଳିଥିଲେ । ସେ ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟରେ ବଡ଼ ଭୂମିକା ନେଇଥିଲେ ।

Spread the love