ଅଗଷ୍ଟ ସୁଦ୍ଧା ଗାଦି ଛାଡିବେ ପୁଟିନ

ନୂଆଦିଲ୍ଲୀ  : ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଦେଶର କିଛି ଦାୟିତ୍ୱସମ୍ପନ୍ନ ପୂର୍ବତନ ଜେନେରାଲ ଏବଂ ବରିଷ୍ଠ ରାଜନେତା ଗାଦିଚ୍ୟୁତ କରିବାକୁ ଚାହୁଁଛନ୍ତି  । ରୁଷ୍‌ର ଭବିଷ୍ୟତ ପାଇଁ ଯେ ପୁଟିନ୍‌ଙ୍କ କାର୍ଯ୍ୟଶୈଳୀ ବିପଦ ସାଜିବ ତାହା ସେମାନେ ଜାଣିସାରିଲେଣି । ସେହିଭଳି ଚଳିତବର୍ଷ ଶେଷ ସୁଦ୍ଧା ରୁଷ୍‌ ଯୁଦ୍ଧ ହାରିଯିବ । ୟୁକ୍ରେନ୍‌ ପୁଣି ତାହାର ଅଖଣ୍ଡତା ବଜାୟ ରଖିବ ।ୟୁକ୍ରେନ୍‌ର ଗୁପ୍ତଚର ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଦାନୋଭ ଏହିସବୁ ସୂଚନା ଦେଇଛନ୍ତି । ୩୬ ବର୍ଷୀୟ ବୁଦାନୋଭଙ୍କ କହିବା କଥା ଯେ ଚଳିତବର୍ଷ ରୁଷ୍‌ରେ ଏକ ବଡ଼ ପରିବର୍ତ୍ତନ ଆସିବ । ସମଗ୍ର ବିଶ୍ୱ ପାଇଁ ଏହା ହିତକାରୀ ହେବ । ଅଗଷ୍ଟ ଦ୍ୱିତୀୟ ଭାଗ ବେଳକୁ ପୁଟିନ୍‌ ଆଉ ତାଙ୍କ ଗାଦିରେ ନ ଥିବେ । ବଞ୍ଚିଥିବା ପର୍ଯ୍ୟନ୍ତ ରୁଷ୍‌କୁ ଶାସନ କରିବାକୁ ଆଇନ ଆଣିଥିବା ପୁଟିନ୍‌ଙ୍କୁ କ୍ରେମ୍‌ଲିନ୍‌ରୁ ହଟାଇ ଦିଆଯିବ । ପୂର୍ବରୁ ମସ୍କୋରେ ମଧ୍ୟ ସମାନ ଆଲୋଚନା ହେଉଥିଲା । ସ୍କାଏ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ବୁଦାନୋଭ କହିଛନ୍ତି, ଚଳିତବର୍ଷ ଶେଷ ବେଳକୁ ରୁଷ-ୟୁକ୍ରେନ୍‌ ଯୁଦ୍ଧର ସକ୍ରିୟ ଭାଗ ଶିଥିଳ ପଡ଼ିଯିବ । ୟୁକ୍ରେନ୍‌ର ବିଜୟ ହେବ । ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଆରମ୍ଭରୁ ଜେନେରାଲ ବୁଦାନୋଭ ଅନେକ ଆକଳନ କରିଥିଲେ, ଯେଉଁଥିରୁ ଅଧିକାଂଶ ସତ୍ୟ ପ୍ରମାଣିତ ହୋଇଛି ।ଅନ୍ୟପକ୍ଷରେ ପୁଟିନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରୁଷ୍‌ର ଜଣେ ଅଜଣା ଅଧିକାରୀଙ୍କ ପକ୍ଷରୁ ବଡ଼ ଖବର ସାମ୍ନାକୁ ଆସିଛି । ପୁଟିନ୍‌ ଅତ୍ୟନ୍ତ ରୋଗଗ୍ରସ୍ତ ଅଛନ୍ତି । ସେ ବ୍ଲଡ୍‌ କ୍ୟାନ୍‌ସର ରୋଗରେ ପୀଡ଼ିତ ଅଛନ୍ତି । କ୍ରେମ୍‌ଲିନ୍‌ ସହ ସଂଶ୍ଳିଷ୍ଟ ଏହି ଅଧିକାରୀଙ୍କ ମୁତାବକ ପୁଟିନ୍‌ଙ୍କଠାରେ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ରହିଛି । ମେ ୯ ତାରିଖରେ ରୁଷ୍‌ ଏହାର ୭୭ତମ ବିଜୟ ଦିବସ ପାଳୁଥିବା ବେଳେ ରାଷ୍ଟ୍ରପତି ପୁଟିନ୍‌ ଦୁର୍ବଳ ଜଣାପଡ଼ୁଥିଲେ ।

Spread the love