ଚାପରୁ ମୁକୁଳିବା ପାଇଁ ଦିଲ୍ଲୀରେ ସୁଆଙ୍ଗ ରଚିବାର ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

ଚାଷୀର ହକ୍ ପାଇଁ  ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା ଓ ମନ୍ତ୍ରୀମାନେ ଦିଲ୍ଲୀ ପହଞ୍ଚିଛନ୍ତି । ହେଲେ ଏହାକୁ ଭିନ୍ନ ଢଙ୍ଗରେ ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି  ଚାଷ ଓ ଚାଷୀର ବିଷୟକୁ ନେଇ ଏବେ ଗାଁ ଗଣ୍ଡାରେ ଜନବିଦ୍ରୋହ ଆରମ୍ଭ ହେଲାଣି। ଆଉ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଛ କହିବାର ବାଟ ଧରିଛନ୍ତି । ଦିଲ୍ଲୀରେ ବିଜେଡିର କୃଷକ ସମାବେଶ ପ୍ରସଙ୍ଗରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷି ହେଲା ରାଜ୍ୟର ବିଷୟ। ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱରୁ ମୁକୁଳିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନିଜର ଦାୟିତ୍ୱ ନନେଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି।

କିଛିବର୍ଷ ତଳେ ସୋହେଲାରେ ମୁଖ୍ୟମନ୍ତ୍ରୀ ନିଜେ ଏମଏସପି ଉପରେ 100ଟଙ୍କା ବୋନସ ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ସେକଥାକୁ ସେମାନେ ଭୁଲି ଯାଇଛନ୍ତି। ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏ ଠକାମୀ ଲୋକେ ଏଥର ନିଶ୍ଚୟ ଧରିବେ। ଚଳିତବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ବିଜେଡି ନିଜର ଦଳୀୟ ପାଣ୍ଠି ସଂଗ୍ରହ କରିବା ପାଇଁ ମିଲ୍ ମାଲିକଙ୍କ ସହ ଶାସକ ଦଳର ମଧୁଚନ୍ଦ୍ରିକା ରହିଛି। ସେଥିପାଇଁ ଚାଷୀ ମଧ୍ୟସ୍ଥିମାନଙ୍କୁ 1000ରୁ ସର୍ବାଧିକ 1200ଟଙ୍କା ଧାନ କ୍ୱିଣ୍ଟାଲ ବିକିବାକୁ ବାଧ୍ୟ ହେଉଛି। ଗତବର୍ଷ ଧାନ କ୍ୱିଣ୍ଟାଲ ପିଛା 1550ଟଙ୍କା ଥିବାବେଳେ କେନ୍ଦ୍ର ସରକାର ଏହାର ମୂଲ୍ୟବୃଦ୍ଧି କରି 1750ଟଙ୍କା କରିଛନ୍ତି। ଓଡ଼ିଶାରେ କାହିଁକି ଧାନମଣ୍ଡି ଖୋଲାଯାଇନି। କାହିଁକି କେନ୍ଦ୍ର ସରକାର ଦେଉଥିବା 1750ଟଙ୍କା ଚାଷୀ ପାଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

Spread the love