ଟ୍ରାଫିକ ନିୟମ : ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି

ସରକାର ଏବେ ଆଣିଥିବା ନୁଆ ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ବ୍ୟବସ୍ଥାକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରୁଛି । କିନ୍ତୁ ନୂତନ ଆଇନ ପ୍ରଣୟନ ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାକୁ ସଜାଡିବା ଓ ଲୋକମାନଙ୍କୁ ବ୍ୟାପକ ଭାବେ ସଚେତନା କରାଇବା ଆବଶ୍ୟକ ଥିଲା । କିନ୍ତୁ ତାହା ନକରି ରାଜ୍ୟସରକାର ଓ ପୋଲିସ ପ୍ରଶାସନ ତରବରିଆ ଭାବେ ଯେପରି ଆଇନକୁ ଲାଗୁ କରାଇ ରାଜସ୍ୱ ବୃଦ୍ଧି ନାଁରେ ଲକ୍ଷ ଲକ୍ଷ ଟଙ୍କାର ଜରିମନା ଆଦାୟ କରିଚାଲିଛନ୍ତି ତାହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପସଭାପତି  ସମୀର ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ବିନା କୌଣସି ପ୍ରସ୍ତୁତିରେ ନିରୀହ ଲୋକଙ୍କ ଠାରୁ ଜରିମନା ଆଦାୟ କରିଚାଲିଛନ୍ତି । ପୋଲିସର ମାତ୍ରାଧିକ ଫାଇନ ଆଦାୟ ଲୋକଙ୍କ ମନରେ ଆକ୍ରୋଶ ତିଆରି କରିଛି । ଆଜି ତାହାର ଆକ୍ରୋଶ ରାଜମହଲ ଛକରେ ଦେଖିବାକୁ ମିଳିଛି । ଏହା ପରେ ପୋଲିସ ଓ ପ୍ରଶାସନ ଯେଉଁଭଳି ଭାବରେ ସାଧାରଣ ଲୋକଙ୍କ ଉପରେ ଲାଠି ଚାର୍ଜ କରି ଭୟର ବାତାବରଣ ତିଆରି କରୁଛି ତାହା ଗ୍ରହଣୀୟ ନୁହେଁ । ଜନସାଧାରଣଙ୍କୁ ସାଙ୍ଗରେ ନେଇକି ପୋଲିସ ଓ ପରିବହନ ବିଭାଗ ଆଇନକୁ ଲାଗୁ କରନ୍ତୁ । ପୋଲିସର ଗଣମାଧ୍ୟମରେ ବୟାନ ଏବଂ ତାଙ୍କ କାର୍ଯ୍ୟକାରିତା ଭିତରେ ତାଳମେଳ ରହୁନାହିଁ ।  ରାଜ୍ୟ ପୋଲିସ ଓ ପରିବହନ ବିଭାଗ ସାଧାରଣ ଲୋକଙ୍କ ଉପରେ ଜରିମାନା ଆଦାୟରେ ମାତିଥିବା ବେଳେ ନିଜେ ସେହି ନିୟମକୁ ନମାନିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ନିଜ ବ୍ୟବସ୍ଥାକୁ ନିଜେ ସଠିକ ଭାବରେ ଲାଗୁ କରନ୍ତୁ । ପୋଲିସ ଗାଡି, ସରକାରୀ ଗାଡି, ବିଏମସି ଗାଡି ଗୁଡିକର ପ୍ରଦୁଷଣ ପ୍ରମାଣ ପତ୍ର, ବୀମା ପଂଜୀକରଣ, ଫିଟନେସ ସାର୍ଟିଫିକେଟର ବୈଧତା ଅଛିକି ନାହିଁ ତାକୁ ଯାଂଚ କରନ୍ତୁ । ସଡକ ଉପରେ ବୁଲା ଗାଇ, ଗୋରୁ, ଷଣ୍ଡ ଏବଂ କୁକୁରମାନଙ୍କ ଅବାଧ ଚଳପ୍ରଚଳ ଓ ଦୈାରାତ୍ମ କାରଣରୁ ପ୍ରତିଦିନ ଦୁର୍ଘଟଣା ଘଟିଚାଲିଛି । ସେହିପରି ସ୍ମାର୍ଟ ସିଟି ଭୂବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଣ ଓସାରିଆ ଓ ଖାଲ ଢିପ ରାସ୍ତା, ମରାମତି ଆଳରେ ଦୀର୍ଘ ଦିନ ଧରି ପଡି ରହିଥିବା ଅଧପନ୍ତରିଆ ରାସ୍ତା, ରାସ୍ତା ଉପରେ ଖୋଲା ଡ୍ରେନ ଏବଂ ଅବ୍ୟବସ୍ଥିତ ପାର୍କିଂ ସମସ୍ୟା କାରଣରୁ ବ୍ୟାପକ ଦୁର୍ଘଟଣା ଘଟୁଛି । ରାଜ୍ୟ ସରକାର ଏବଂ ପ୍ରଶାସନ ଏ ସମସ୍ତ ସମସ୍ୟାର ସମାଧାନ କରି ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଆବଶ୍ୟକ । ପୋଲିସ ପ୍ରଶାସନ ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଇବା ସହ ଜନତାଙ୍କ ସେବକ ହୋଇ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

Spread the love