ଦିଲ୍ଲୀରେ ଜଳିଗଲା ଫର୍ଣ୍ଣିଚର ଗୋଦାମ

ନୂଆଦିଲ୍ଲୀ :  ଦିଲ୍ଲୀ ବଜରଙ୍ଗ ଛକରେ ଭୟାବହ ଅଗ୍ନିକାଣ୍ଡ । ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।ଗତକାଲି ସଂଧ୍ୟାରେ ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।ନିଆଁ ଏତେ ଭୟଙ୍କର ଥିଲା ଯେ ୧୧ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ । ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।ସୂଚନାଯୋଗ୍ୟ, ଦିଲ୍ଲୀରେ ଲଗାତର ଭାବେ ଅଗ୍ନିକାଣ୍ଡ ମାମଲା ବଢିବାରେ ଲାଗିଛି । ନିକଟରେ ମୁଣ୍ଡକା ଅଞ୍ଚଳରେ ଭୟଙ୍କର ନିଆଁ ଲାଗିଥିଲା । ଯେଉଁଥିରେ ୨୭ ଜଣ ଜଳି ପ୍ରାଣ ହରାଇଥିଲେ । ଅନେକ ନିଖୋଜ ହୋଇଯାଇଥିଲେ  । ବିଳମ୍ବିତ ରାତି ଯାଏଁ ଅଗ୍ନିଶମ ଓ ଏନଡିଆରଏଫ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯଇଥିଲା ।ଏହାର କିଛି ଦିନ ପରେ ଗୋବିନ୍ଦପୁରୀ ଅଞ୍ଚଳରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା ।  ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା  । ଫଳରେ ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା । ଗତ ଗୁରୁବାର ବଓ୍ୱାନାରେ ଥିବା ଏକ ଫାକ୍ଟ୍ରିରେ ମଧ୍ୟ ଭୀଷଣ ନିଆଁ ଲାଗିଯାଇଥିଲା। ଯାହାକୁ ଆୟତ୍ତ କରିବା ପାଇଁ ୧୭ଟି ଦମକଳ ବାହିନୀ କସରତ କରିଥିଲେ ।

Spread the love