ଇନ୍ଧନ ଦର ହ୍ରାସ ପରେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ଚାପ ପ୍ରୟୋଗ ସତ୍ତ୍ବେ ରୁଷ୍‌ର ରିହାତି ଦରରେ ତୈଳ କିଣି ଇନ୍ଧନ ଦର ହ୍ରାସ କରିଥିବାରୁ ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଶଂସା କରିଛନ୍ତି। ଅର୍ଥନୀତିକୁ ବିଶୃଙ୍ଖଳିତ କରି ଭୀତତ୍ରସ୍ତ ଓ ନିର୍ବିଚାର ଭାବେ ଅଯଥା କାର୍ଯ୍ୟରେ ମାତିଥିବା କହି ଇମ୍ରାନ୍‌ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌)’ ନେତୃତ୍ବାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।ଇନ୍ଧନ ଦର ହ୍ରାସ କରିବା ପାଇଁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ବିଷୟରେ ସୂଚନା ସେୟାର୍‌ କରି ‘ପାକିସ୍ତାନ ତେହରୀକ୍‌-ଏ-ଇନ୍‌ସାଫ୍‌’ର ନେତା ଇମ୍ରାନ୍‌ ଟୁଇଟ୍‌ କରି ଲେଖିଛନ୍ତି: ‘କ୍ବାଡ୍‌’ରେ ଥାଇ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଚାପ ଏଡ଼ାଇ ଜନସାଧାରଣଙ୍କୁ ଆଶ୍ବସ୍ତି ଦେବା ଲାଗି ଭାରତ ରିହାତି ମୂଲ୍ୟରେ ରୁଷୀୟ ତୈଳ ଖରିଦ କଲା। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଇନ୍ଧନ ଉପରୁ ‘ଏକ୍ସାଇଜ୍‌ ଡିୟୁଟି’ ହ୍ରାସ କରିବାରୁ ଗତକାଲି ଲିଟର୍‌ପିଛା ପେଟ୍ରୋଲ୍‌ ଟ. ୯.୫ ଓ ଲିଟର୍‌ପିଛା ଡିଜେଲ୍‌ ଟ. ୭/- କମ୍‌ରେ ବିକ୍ରୟ ହେଉଛି।

 

Spread the love