ମିଛ କଥା କହି ଏବଂ ମିଛ ତଥ୍ୟ ଉପସ୍ଥାପନ କରି ନ୍ୟାୟିକ ପ୍ରକ୍ରିୟାକୁ ବାଟବଣା କରାଯିବା ଅତ୍ୟନ୍ତ ଲଜ୍ଜାଜନକ : ଡ.ସମ୍ବିତ ପାତ୍ର
ନୂଆ ଦିଲ୍ଲୀ / ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ଗୋଟିଏ ମିଛ ଲୁଚାଇବାକୁ ଯାଇ ରାଜ୍ୟ ସରକାର ଏବଂ ଶାସକ ବିଜେଡି ନେତୃବୃନ୍ଦ ବର୍ତମାନ ହଜାରେ ମିଛ କହୁଛନ୍ତି । ଏଏସଆଇର ଯୁଗ୍ମ ସତ୍ୟପାଠ ହାଇକୋର୍ଟରେ ଦାଖଲ ହେବା ପରେ ରାଜ୍ୟ ସରକାରଙ୍କ ଅସଲ ଚେହେରା ପର୍ଦ୍ଦାଫାଶ ହୋଇଛି । ରାତିଅଧିଆ ଏବଂ ତରଭରିଆ ଭାବେ ଗତ ୨ ଦିନ ହେଲାଣି କାହିଁକି ଜିପିଆରଏସ ସର୍ଭେ କରାଯାଉଛି ? ମାନ୍ୟବର ପୁରୀ ସାଂସଦ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପିନାକି ମିଶ୍ର ପ୍ରଥମେ ପବିତ୍ର ସଂସଦ ଏବଂ ପରେ ସାମ୍ବାଦିକ ସମ୍ମିଳନୀରେ ମିଛ କଥା କହି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଥିଲେ । ଜିପିଆଏସ ସର୍ଭେ ପରେ ପରିକ୍ରମା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କହୁଥିବା ପୁରୀ ସାଂସଦ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ମିଶ୍ର ଆଜି ପୁଣି ମିଛୁଆ ସାବ୍ୟସ୍ତ ହୋଇଛନ୍ତି । । ସତ କେବେହେଲେ ଲୁଚି ରହେ ନାହିଁ, ଯାହାର ପ୍ରମାଣ ଆଜି ଓଡ଼ିଶାବାସୀ ପାଇଛନ୍ତି । ମିଛ କଥା କହି ଏବଂ ମିଛ ତଥ୍ୟ ଉପସ୍ଥାପନ କରି ନ୍ୟାୟିକ ପ୍ରକ୍ରିୟାକୁ ବାଟବଣା କରାଯିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମମ୍ବିତ ପାତ୍ର କହିଛନ୍ତି ।
ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, କୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସର୍ଭେ କାର୍ଯ୍ୟ କରାଯାଇଥାଏ । ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ସର୍ଭେ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏହା ସଂପୂର୍ଣ୍ଣ ଭାବେ ଅବୈଜ୍ଞାନିକ ପଦ୍ଧତି । ବାସ୍ତବରେ ଯଦି ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସର୍ଭେ କାର୍ଯ୍ୟ କରାଯାଇଥିଲା ଏବଂ ମାନ୍ୟବର ପୁରୀ ସାଂସଦଙ୍କ ବକ୍ତବ୍ୟ ସତ୍ୟ ହୋଇଥାଏ, ତାହେଲେ ବର୍ତମାନ କାହିଁକି ରାତିଅଧିଆ ସର୍ଭେ କାର୍ଯ୍ୟ କରାଯାଉଛି ? ଲୁଚାଛପାରେ ଜିପିଆରଏସ କାର୍ଯ୍ୟ ହେଉଥିବାର ଫଟୋ ବର୍ତମାନ ସାର୍ବଜନୀନ ହୋଇଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇ ଏହି ସର୍ଭେ କାର୍ଯ୍ୟ କରାଯାଉଛି କି ? ଏହି ସର୍ଭେକୁ ନେଇ ଏଏସଆଇ ଅବଗତ ଅଛି ତ? ଏଏସଆଇ ଅଧିକାରୀଙ୍କ ଉପସ୍ଥିତିରେ ସର୍ଭେ କାର୍ଯ୍ୟ ନହେଲେ, ଏହା କେତେ ଦୁର ଗ୍ରହଣୀୟ ବୋଲି ଡ.ପାତ୍ର ପ୍ରଶ୍ନ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ନିର୍ମାଣ ପାଇଁ ଠିକା ପାଇଥିବା ସଂସ୍ଥା ଓବିସିସି ଦ୍ୱାରା ଏକ ଘରୋଇ ସଂସ୍ଥା ସର୍ଭେ କାର୍ଯ୍ୟ କରୁଛି । ଆସନ୍ତା ୪ ଦିନ ଭିତରେ ସର୍ଭେ କାର୍ଯ୍ୟ ଶେଷ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ଏଥି ମଧ୍ୟରୁ ୨ ଦିନର ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଏହି ସ୍ୱଳ୍ପ ସମୟ ମଧ୍ୟରେ ସମସ୍ତ ସର୍ଭେ କାର୍ଯ୍ୟ ସଠିକ ଭାବେ ସଂପାଦନା ହୋଇପାରିବ ତ ? ଏଏସଆଇ ଉପସ୍ଥିତିରେ କାହିଁକି ସର୍ଭେ କାର୍ଯ୍ୟ ହେଇନାହିଁ ? ଆଉ ମିଛ ନକହି ଏ ସମସ୍ତ ପ୍ରଶ୍ନର ଜବାବ୍ ପୁରୀ ସାଂସଦ ଶ୍ରୀ ମିଶ୍ର ନିହାତି ଦେବା ଉଚିତ୍ ବୋଲି ଡ.ପାତ୍ର କହିଛନ୍ତି ।