ଶ୍ରୀମନ୍ଦିର ବିବାଦ, ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଶୁଣାଣି

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାର୍ଶ୍ବ ୧୦୦ ମିଟର ପରିଧି ନିଷିଧାଞ୍ଚଳରେ ବିନା ଅନୁମତିରେ ନିର୍ମାଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ମାମଲାର ତ୍ୱରିତ ଶୁଣାଣି ଲାଗି ଆଜି ବିଚାରପତି ବି ଆର ଗଭାଇ ଏବଂ ବିଚାରପତି ହିମା କୋହଲୀଙ୍କ ଖଣ୍ଡପୀଠରେ ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସ, ସୁମନ୍ତ କୁମାର ଘଡେଇ ଓ ଦିଲିପ କୁମାର ବରାଳଙ୍କ ତରଫରୁ ‘ମେନସନ’ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାର୍ଶ୍ବରେ ଜାରି ନିର୍ମାଣ କାର୍ଯ୍ୟ ଆମସାର ଆଇନ ୧୯୫୮ର ଖୋଲା ଉଲ୍ଲଂଘନ ଏବଂ ଏଭଳି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ନ୍ୟାୟାଳୟ ତୁରନ୍ତ ହସ୍ତକ୍ଷେପ କରିବାକୁ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଓକିଲ ମହାଲକ୍ଷ୍ମୀ ପାବନି ଯୁକ୍ତି ଉପସ୍ଥାପନ କରିଥିଲେ। ବିଚାରପତି ବି ଆର ଗଭାଇ ଆବେଦନକାରୀଙ୍କ ଓକିଲଙ୍କୁ ପଚାରିଥିଲେ, ଆପଣ ଏହି ପ୍ରସଙ୍ଗରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ତଥ୍ୟ ଉତ୍ଥାପନ କରିଛନ୍ତି କି। ପ୍ରତିଉତ୍ତରରେ ଓକିଲ ପାବନି କହିଥିଲେ ଯେ ନିଷେଧାଞ୍ଚଳରେ ବେଆଇନ ନିର୍ମାଣ ରୋକିବାକୁ ଉଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କାର୍ଯ୍ୟବନ୍ଦ ଆଦେଶ ଜାରି ହୋଇନାହିଁ, ଏବେ ମଧ୍ୟ ବେଆଇନ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ମାମଲାର ଗୁରୁତ୍ୱଦୃଷ୍ଟିରୁ ଆଜିକୁ ଶୁଣାଣି କରିବାକୁ ଖଣ୍ଡପୀଠ ନିର୍ଦେଶ ଜାରି କରିଥିଲେ। ଆବେଦନର ପ୍ରତିଲିପି କୋର୍ଟମିତ୍ର ରଣଜିତ କୁମାର ଏବଂ ଓଡ଼ିଶା ସରକାରଙ୍କୁ ଦେବାକୁ ଆବେଦନକାରୀ ଓକିଲଙ୍କୁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ତେବେ ଗତକାଲି ରାତି ୯ଟା ୩୦ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟ ଅତିରିକ୍ତ ଶୁଣାଣି ତାଲିକାରେ ମାମଲାଟି ବିଚାର ଲାଗି ସ୍ଥାନ ପାଇନାହିଁ। ଆଜି ପୂର୍ବାହ୍ନରେ ମାମଲାର ଶୁଣାଣି ଲାଗି ଅତିରିକ୍ତ ତାଲିକା ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।
ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ମାମଲାରେ ଦର୍ଶାଯାଇଛି ଯେ ଆମସାର ଆଇନକୁ ଉଲ୍ଲଂଘନ କରି ବେଆଇନ ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି।  ପଶ୍ଚିମ ପାର୍ଶ୍ବରେ ମେଘନାଦ ପାଚେରୀ ଠାରୁ ମାତ୍ର ୩୦ ମିଟର ଦୂରରେ ଖନନ ହୋଇଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବଡ଼ ବଡ଼ ଯନ୍ତ୍ରାଶଂର ଚାପ ମନ୍ଦିର କୀର୍ତ୍ତିରାଜିର ମୂଳଦୂଆକୁ ଦୁର୍ବଳ କରୁଛି।

Spread the love