ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ମତଦାନ

ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଓ ପୋଲିଂ ଦଳ ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି । ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବାକୁ ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ବୁଥ୍‌ରେ ଇଭିଏମ୍‌ ଯୋଗେ ମତଦାନ କରାଯିବ। ଗତକାଲି ପ୍ରଚାର ଶେଷ ହୋଇଥିଲା। ପ୍ରମୁଖ ତିନି ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ଏହି ଆସନଟିକୁ ହାତେଇବା ପାଇଁ ପ୍ରାଣମୂର୍ଚ୍ଛା ପ୍ରଚାର କରିଥିଲେ। ୨୦୧୪ରେ ବ୍ରଜରାଜନଗର ଆସନରୁ ବିଜେପିର ରାଧାରାଣୀ ପଣ୍ଡା ଜିତିଥିବାବେଳେ ୨୦୧୯ରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କ ଠାରୁ ସେ ପରାଜିତ ହୋଇଥିଲେ। ଏଥର ମଇଦାନରେ ଦିବଙ୍ଗତ କିଶୋରଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡିରୁ ଲଢୁଥିବାବେଳେ ବିଜେପିରୁ ରାଧାରାଣୀ ଓ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ବାଚସ୍ପତି କିଶୋର ପଟେଲ ମଇଦାନରେ ଅଛନ୍ତି। ତିନିଦଳ ବିଜୟୀ ହେବାର ଆଶା ବାନ୍ଧିଥିବାବେଳେ ଆସନ୍ତାକାଲି ମତଦାତା ହିଁ ସ୍ଥିର କରିବେ କାହା ମୁଣ୍ଡରେ ବନ୍ଧାଯିବ ମୁକୁଟ। ଶୃଙ୍ଖଳିତ ମତଦାନ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଆସନ୍ତା ୩ରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Spread the love