କାଶ୍ମୀର ଯୁବକଙ୍କ ବ୍ରେନ୍‌ ୱାସ୍‌ କରୁଛି ପାକିସ୍ତାନୀ ଏଜେନ୍ସି

ନୂଆଦିଲ୍ଲୀ, ୦୫/୦୬: କାଶ୍ମୀରରେ ଆଇଏସ୍‌ଆଇର ଷଡ଼ଯନ୍ତ୍ର ଏବଂ ସ୍ଥାନୀୟ ସ୍ତରରେ ବଦଳୁଥିବା ରଣନୀତି ସହିତ ଆତଙ୍କବାଦୀଙ୍କ ବଢ଼ୁଥିବା କାର୍ଯ୍ୟକଳାପ ସୁରକ୍ଷା ବଳଙ୍କ ପାଇଁ ଏବେ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ସୁରକ୍ଷା ଏଜେନ୍ସି  ଏନେଇ କହିଛି ଯେ ପାକିସ୍ତାନୀ ଏଜେନ୍ସି ଆଇଏସ୍‌ଆଇ କାଶ୍ମୀର ଯୁବକଙ୍କୁ ଏବେ ଅସ୍ତ୍ର କରିଛି । ସେମାନଙ୍କ ବ୍ରେନ୍‌ ୱାସ୍‌ କରିବାରେ ଲାଗିଛି । ଅନ୍ୟପଟେ ଲସ୍କର ଏହାର ସମର୍ଥିତ ଟିଆର୍‌ଏଫ୍‌ ଜରିଆରେ କାଶ୍ମୀର ପଣ୍ଡିତ ଏବଂ କାଶ୍ମୀର ବାହାରଲୋକଙ୍କ ଉପରେ ଆକ୍ରମଣ ଜାରି ରଖିଛି ।

ସ୍ଥାନୀୟ ସ୍ତରରେ ଯୁବକଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ଭର୍ତ୍ତି କରିବା ପାଇଁ ପ୍ରସ୍ତୁତି ଚଳାଇଛି ଏହି ଗୁପ୍ତଚର ଏଜେନ୍ସି । ଏହାକୁ ପଣ୍ଡ କରିବା ପାଇଁ ସୁରକ୍ଷା ଏଜେନ୍ସିକୁ ବିଶେଷ ଆକ୍ସନ ନେବାକୁ କୁହାଯାଇଛି । ସୁରକ୍ଷା ଏଜେନ୍ସି ଏନେଇ କହିଛି ଯେ କାଶ୍ମୀର ଆତଙ୍କୀଙ୍କ ସହିତ ଜଡ଼ିତ ଗୁପ୍ତଚର ଇନ୍‌ପୁଟ୍‌କୁ ଆହୁରି ମଜବୁତ୍‌ କରିବାକୁ କୁହାଯାଇଛି । ସ୍ଥାନୀୟ ଯୁବକଙ୍କୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଗୋଷ୍ଠୀରେ କିପରି ଭର୍ତ୍ତିରୁ ରୋକା ଯାଇ ପାରିବ ତାହା ଏଜେନ୍ସି  ସାମ୍ନାରେ ଚ୍ୟାଲେଞ୍ଜ ହୋଇଛି । ସାଧାରଣ ଲୋକଙ୍କ ସହିତ ମିଶି ବଢ଼ୁଥିବା ଆତଙ୍କୀକୁ ରୋକିବା ପାଇଁ ସେନା ଚେଷ୍ଟା ଚଳାଇଛି । ହାଇବ୍ରିଡ୍‌ ଆତଙ୍କୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି ।

Spread the love