ଗୋଆରୁ ଗିରଫ ହେଲେ ଏହି ୟୁଟ୍ୟୁବର

କୋଲକାତା ୦୭/୦୬ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଭିଡିଓରେ ଆପତ୍ତି ଜନକ ମନ୍ତବ୍ୟ ଦେବା ଅଭିଯୋଗରେ କୋଲକାତା ପୋଲିସ ମଙ୍ଗଳବାର ପ୍ରସିଦ୍ଧ ୟୁଟ୍ୟୁବର ରୋଦ୍ଦୁର ରୟଙ୍କୁ ଗୋଆରୁ ଗିରଫ କରିଛି। ରୋଦ୍ଦୁର ରୟ କୋଲକାତା ପୋଲିସର ‘ଆଣ୍ଟି ରାଉଡ଼ି ସେକ୍ସନ’ ଦ୍ୱାରା ଗିରଫ ହୋଇଛନ୍ତି।

ଅଭିଯୁକ୍ତକୁ ଆମର ଅଧିକାରୀମାନେ ଦ୍ୱିପ୍ରହରେ ଗୋଆରୁ ଗିରଫ କରିଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେ ଆହୁରି କହିଛନ୍ତି ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ କୋଲକାତାକୁ ଅଣାଯିବ। ଆମର ଅଧିକାରୀମାନେ ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ ସେଠାରେ ଥିବା ଏକ ସ୍ଥାନୀୟ ଅଦାଲତରେ ହାଜର କରାଇବେ। ତୃଣମୂଳ କଂଗ୍ରେସର ମୁଖପାତ୍ର ରିଜୁ ଦତ୍ତ ଚିତପୁର ଥାନାରେ ୟୁଟ୍ୟୁବରଙ୍କ ବିରୋଧରେ ଏତଲା ଦେଇଥିଲେ। ୟୁଟ୍ୟୁବରଙ୍କ ବିରୋଧରେ ବିଭିନ୍ନ ଧାରା ଅଧୀନରେ ଏତଲା ରୁଜୁ କରାଯାଇ ଥିଲା।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବ୍ୟାପକ ଭାବେ ଆପତ୍ତି ଜନକ ମନ୍ତବ୍ୟ ଦେଇ ୟୁଟ୍ୟୁବର ରୟ ସବୁବେଳେ ବିବାଦରେ ରହନ୍ତି। ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡାଏମଣ୍ଡ ହାର୍ବର୍‌ର ସାଂସଦଙ୍କ ଛଡ଼ା ଫରହାକ ହକିମ ଓ ମଦନ ମିଶ୍ରଙ୍କ ଭଳି ଟିଏମସି ନେତାଙ୍କ ବିରୋଧରେ ମଧ୍ୟ ଆପତ୍ତି ଜନକ ମନ୍ତବ୍ୟ ଦେଇଛନ୍ତି

ସେ ଦିବଙ୍ଗତ ବଲିଉଡ ଗାୟକ କେକେଙ୍କ ଶେଷ ସଙ୍ଗୀତ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ପାଇଁ କ୍ଷମତାଧୀନ ଦଳ ଟିଏମସିକୁ ଦୋଷାରପ କରିଥିଲେ। କେକେ ସେହି ସଙ୍ଗୀତ କାର୍ଯ୍ୟକ୍ରମ ପରେ ଚେତା ହରାଇ ତଳେ ପଡ଼ିଯାଇଥିଲେ। ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେବାରୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ରୟଙ୍କର ମମତାଙ୍କ ବିରୋଧରେ ଫେସବୁକ ଲାଇଭ ଭିଡିଓକୁ ପୋଲିସ ଅଧିକାରୀମାନେ ସୋସିଆଲ ନେଟୱାର୍କିଙ୍ଗ ସାଇଟ୍‌ରୁ ହଟାଇ ଦେଇଛନ୍ତି।

Spread the love